Monday, 4 September 2017

ନୀଳ ତିମି ଓ ସୋସିଆଲ ମିଡ଼ିଆ

କିଛି ଦିନ ତଳେ ଖବରକାଗଜରେ ପ୍ରକାଶିତ ହୋଇଥିଲା ସମ୍ବଲପୁରର ସ୍କୁଲ ପିଲା ଜଣେ blue whale game ଖେଳି ଆତ୍ମହତ୍ୟା କରିଥିବାର ଖବରଟିଏ । ଏହାକୁ ନେଇ ଟିଭି ଚ୍ୟାନେଲରେ ଅନେକ ଆଲୋଚନା ହୋଇଥିଲା । ଓଡ଼ିଶାର ପୁଲିସ ଡିଜିଙ୍କ ଠାରୁ ସତର୍କତା ମୂଳକ ଗାଇଡଲାଇନ ମଧ୍ୟ ଆସିଥିଲା ।


ଖବରଟି ଶୁଣିଲା ପରେ ଅନେକଙ୍କ ମନରେ କିଛି ପ୍ରଶ୍ନ ନିଶ୍ଚୟ ଆସିଥିବ । କେମିତିକା ନିର୍ବୁଦ୍ଧିଆ ପିଲା ଏମାନେ ! ମୋବାଇଲ କି କମ୍ପ୍ୟୁଟରରେ ଗେମ୍ ଖେଳି କେହି କଣ ଆତ୍ମହତ୍ୟା କରେ !! ଯଦି ଗୋଟେ ମୋବାଇଲ ଗେମ୍ ଆତ୍ମହତ୍ୟା କରିବା ପାଇଁ ଉସୁକାଉଛି, ସେମିତିକା ଗେମ୍ ଖେଳିବା କଣ ଦରକାର !!!

ଏମିତି କେତେ ପ୍ରଶ୍ନ । ହେଲେ କିଶୋର ବୟସରେ ଉପନୀତ ଏ ପିଲାମାନଙ୍କୁ ଦୋଷ ଦେବା ପୂର୍ବରୁ ପ୍ରଥମେ ଆମକୁ ଏ ସୋସିଆଲ ମିଡ଼ିଆ ରୂପି ଅଥଳ ନୀଳ ସାଗର ଓ ଏଠି ବୁଲୁଥିବା ଅସଂଖ୍ୟ ନୀଳ ତିମି, ମଗର ତଥା ସାର୍କ ଆଦିଙ୍କ ବିଷୟରେ ଭଲ ରୂପେ ଜାଣି ରଖିବା ଉଚିତ । କଥାରେ କୁହନ୍ତି, ଜାଣିଲେ ଜିଣିବା ।

ନୀଳ ତିମି (blue whale game)

କଣ ଏ ନୀଳ ତିମି ବା blue whale game? ଇଣ୍ଟରନେଟରୁ ମିଳୁଥିବା ସୂଚନା ଅନୁସାରେ ଏଇଟା ଗୋଟେ ପଚାଶ ଦିନିଆ ଚ୍ୟାଲେଞ୍ଜ ଦେଉଥିବା ଖେଳଟିଏ । ଏହା କୌଣସି ଆପ୍ କିମ୍ବା ଡାଉନଲୋଡ଼ କରି ଖେଳି ହେଉଥିବା ଗେମ୍ ନୁହେଁ । ଏ ଗେମ୍ ଟି ରୁଷିଆ ଦେଶରୁ ତିଆରି ହୋଇଛି । ସାଇକୋଲୋଜିରେ ପାଠ ପଢ଼ୁଥିବା ଜଣେ ସ୍କୁଲରୁ ବିତାଡିତ ପିଲା ଏ ଗେମ୍ ତିଆରି କରିଛି । ଏ ଖେଳକୁ ପରିଚାଳନା କରିବା ପାଇଁ ଜଣେ ଜଣେ admin ଥାଆନ୍ତି । ଏ gameକୁ ଖେଳୁଥିବା ପିଲାମାନଙ୍କୁ ସେ admin ପ୍ରତ୍ୟେକ ଦିନ ଗୋଟେ ଗୋଟେ କରି କାର୍ଯ୍ୟ ବା task ଦିଅନ୍ତି । ଗେମ୍ ଖେଳୁଥିବା ପିଲାଟି ସେ task କୁ ନିର୍ଦ୍ଧାରିତ ସମୟ ଭିତରେ ସାରି admin କୁ ପ୍ରମାଣ ଦେବାକୁ ପଡିଥାଏ ।  admin ପୁଣି ଧରେଇ ଥାଏ ନୂଆ ଗୋଟେ task । ପ୍ରଥମ ପ୍ରଥମରୁ ଖେଳରେ ସହଜ ତଥା exciting task ଦିଆଯାଇଥାଏ । ଯେମିତି ରାତି ସାଡେ ତିନିଟାରୁ ଉଠିବା, ହରର ଫିଲ୍ମ ଦେଖିବା ଇତ୍ୟାଦି । ଧୀରେ ଧୀରେ task ସବୁ କଷ୍ଟକର ହୋଇଥାଏ ଏବଂ ଶେଷରେ ପଚାଶତମ stepରେ ପ୍ରତିଯୋଗୀକୁ ଆତ୍ମହତ୍ୟା କରିବା ପାଇଁ ଟାସ୍କ ଦିଆଯାଇଥାଏ । ଖେଳର step ରୁ ଏହା ସ୍ପଷ୍ଟ ଯେ ଏମାନେ ଧୀରେ ଧୀରେ କିଶୋର ବୟସର ପିଲାମାନଙ୍କୁ ଚ୍ୟାଲେଞ୍ଜ ଦେଇ ଦେଇ ସେମାନଙ୍କ ମାନସିକ ଅବସ୍ଥାକୁ ଏମିତି ବିଗାଡି ଦିଅନ୍ତି ଯେ ପ୍ରତିଯୋଗୀ ଶେଷକୁ ଆତ୍ମହତ୍ୟାକୁ ବି ଏକ task ବୋଲି ଧରି ନେଇଥାଏ । ଏମିତି ବି ସୂଚନା ଆସୁଛି ଯେ ଏ ଖେଳ ଖେଳିବା ପୂର୍ବରୁ admin ମାନେ ପ୍ରତିଯୋଗୀର ସମସ୍ତ ବ୍ୟକ୍ତିଗତ ସୂଚନା ନେଇ ଯାଇଥାନ୍ତି । ଖେଳ ଅଧାରୁ ଛାଡି ଚାଲିଯିବାକୁ ଚେଷ୍ଟା କରୁଥିବା ପିଲା ଉପରେ ନାନା ପ୍ରକାରର ଧମକ ଚମକ ମଧ୍ୟ ଦିଅନ୍ତି ।

ଇଣ୍ଟରନେଟ ଗେମ୍

ଆପଣ ଯେକୌଣସି ମୋବାଇଲ ଗେମ୍ ବା ଇଣ୍ଟରନେଟ ଗେମ୍ ଖେଳୁଛନ୍ତି, ସବୁ ଗେମ୍ ରେ ପ୍ରାୟ ଗୋଟାଏ ଜିନିଷ କମନ୍ ଥାଏ । ଗେମ୍ ଟି ଅତି ସହଜ step ରୁ ଆରମ୍ଭ ହୋଇଥାଏ ଏବଂ ଧୀରେ ଧୀରେ ଏହା କଷ୍ଟକର ହୋଇଯାଇଥାଏ । ସହଜ ମଜାଦାର ସ୍ଥିତିରୁ ଆରମ୍ଭ ହୋଇଥିବା ଖେଳସବୁ ପର୍ଯ୍ୟାୟ କ୍ରମେ କଷ୍ଟକର କିମ୍ବା ଅସମ୍ଭବ ସ୍ଥିତିକୁ ଗତି କରେ । ଆପଣ ଅନେକ ଚେଷ୍ଟା କରନ୍ତି level ପାରି ହେବାକୁ । ଅନେକ ସମୟରେ ଶତ ଚେଷ୍ଟା କରି ମଧ୍ୟ level ପାରି କରି ହୁଏନି । ଟାଇମ ପାସରୁ ଆରମ୍ଭ କରିଥିବା ଏ ଖେଳଟି ଆପଣଙ୍କୁ ଏକ addiction ସ୍ଥିତିରେ ଆଣି ପହଞ୍ଚାଇ ଦେଇଥାଏ । ବାର ବାର ଚେଷ୍ଟା କରି ଲେଭଲ ପାର କରି ନପାରି ଆପଣ ମାନସିକ ବିଷାଦ ଗ୍ରସ୍ତ ହୋଇଯାଇଥାନ୍ତି । ଏବଂ ଅନେକ ସମୟରେ ବିରକ୍ତ ହୋଇ ଖେଳକୁ uninstall କରିଦେଇଥାନ୍ତି । ଥରେ ଚିନ୍ତା କରନ୍ତୁ, ଯଦି ଆପଣଙ୍କ ପାଇଁ ଏ uninstall ସୁଯୋଗଟି ନଥିବ । ଖେଳଟି ଏମିତି ହୋଇଥିବ ଯେ ଆପଣ ଚେଷ୍ଟା କଲେ ବି ଆଉ ସେ ଗେମ୍ ରୁ ବାହାରି ପାରୁ ନଥିବେ । ଠିକ ଏମିତି କିଛି ହେଉଥିବ ଯେଉଁମାନେ blue whale ଗେମ୍ ଖେଳୁଛନ୍ତି ।  Addiction ଓ ମାନସିକ ବିଷାଦ ଗ୍ରସ୍ତ ହୋଇ କିଶୋର କିଶୋରୀ ଆତ୍ମହତ୍ୟା ଭଳି ସାଙ୍ଘାତିକ ପଦକ୍ଷେପ ନେବାକୁ ପଛାଉ ନାହାନ୍ତି ।

କେମିତି ରକ୍ଷା ପାଇବା

ସବୁଠୁ ସହଜ ଉପାୟ । ମୋବାଇଲ କିମ୍ବା ଇଣ୍ଟରନେଟ ଗେମ୍ ଆଦୌ ନ ଖେଳିବା । ହେଲେ ଏହା କଣ ସମ୍ଭବ !

ଇଣ୍ଟରନେଟ ଗୋଟେ ଏମିତି ଏକ ଦୁନିଆ ଏଠି କିଛି ବି ନିଜ ଆୟତ୍ତରେ ନଥାଏ । ଆପଣ ଶତ ଚେଷ୍ଟା କରି ବି ଏସବୁ game କୁ ଆପଣଙ୍କ ପିଲା ମାନଙ୍କ ପାଇଁ ବ୍ଲକ କରି ପାରିବେନି । ଆଜି ନୀଳ ତିମି ନାଁ ରେ ଆସୁଥିବା ଖେଳଟି କାଲି ଆଉ କେଉଁ ନାଁ ରେ ଆସିଯିବ । ଆଜି ଆତ୍ମହତ୍ୟା ପାଇଁ ପ୍ରେରିତ କରୁଥିବା ଖେଳଟି କାଲି ହୁଏତ ଅନ୍ୟକୁ ହତ୍ୟା କରିବା ପାଇଁ ପ୍ରେରିତ କରିବ । ତେବେ କରିବା କଣ !

ବୈକୁଣ୍ଠ ସମାନ ଆହା ଅଟେ ସେହି ଘର,
ପରସ୍ପର ସ୍ନେହ ଯହିଁ ଥାଏ ନିରନ୍ତର  ।

Old is gold ପରି ଅନେକ ମହତ୍ୱ ବହନ କରେ ଏ ପଦଟି । ନିଜ ପରିବାର ମଧ୍ୟରେ ସମୟ ବିତାନ୍ତୁ । ଘର ଭିତରେ ମୋବାଇଲ କମ୍ପ୍ୟୁଟର ଆଦି ଭିତରେ ପଶି ଦୁନିଆ ସହ ଯୋଗସୂତ୍ର ସ୍ଥାପନ କରୁ କରୁ ଏମିତି ନହେଉ ଆପଣ ଚାରି କାନ୍ଥ ଭିତରେ ଥିବା ଆପଣଙ୍କ ଆପଣାର ଲୋକଙ୍କ ଠାରୁ ଦୁରେଇ ଯାଆନ୍ତୁ । ଯେତେ ସମ୍ଭବ ଆପଣଙ୍କ ପରିବାର ଓ ପିଲାମାନଙ୍କ ସହ ସମୟ ବିତାନ୍ତୁ । ସେମାନଙ୍କ ଅନଲାଇନ ଆକ୍ଟିଭିଟି ଉପରେ ନଜର ରଖନ୍ତୁ । ନଜର ରଖିବା ମାନେ ନୁହେଁ ଯେ ପିଲାଙ୍କର ପ୍ରତ୍ୟେକ ଅନଲାଇନ ଆକ୍ଟିଭିଟିକୁ ବିରୋଧ କରିବା । ମନେ ରଖନ୍ତୁ ବ୍ଲକ ବା ବିରୋଧ କୌଣସି ସମସ୍ୟାର ସମାଧାନ ନୁହେଁ । ଯଦି କୌଣସି ଅନଲାଇନ ଆକ୍ଟିଭିଟି ଆପଣଙ୍କୁ stress ବା ବିଷାଦଗ୍ରସ୍ତ କରାଉଛି, ସେସବୁ ଭିତରୁ ତୁରନ୍ତ ବାହାରି ଆସନ୍ତୁ । ସେ ଫେସବୁକ/ହ୍ବାଟସାପ ଭଳି ସୋସିଆଲ ମିଡ଼ିଆ ହେଉ ବା ଅନ୍ୟ କୌଣସି mobile game। ସମୟ ଅତିବାହିତ କରିବା ପାଇଁ କ୍ରିଏଟିଭ କାମ ଉପରେ ଅଧିକ ଧ୍ୟାନ ଦିଅନ୍ତୁ । ଯେମିତି କି ବହି ପଢିବା, ଲେଖାଲେଖି କରିବା, ଗୀତ ଶୁଣିବା, ଚିତ୍ର ଆଙ୍କିବା, ଫୋଟୋ ତୋଳିବା କିମ୍ବା ବଗିଚା କାମ କରିବା ।

ଶେଷରେ 

ମୋବାଇଲରେ ଇଣ୍ଟରନେଟ ଆସିଯିବା ପରେ ଓ ଇଣ୍ଟରନେଟ ସେବା ଯୋଗାଉଥିବା ସଂସ୍ଥା ଇଣ୍ଟରନେଟର ଚାର୍ଜକୁ ଶସ୍ତା କରିଦେବା ପରେ, ଏବେ ଘରେ ଘରେ ନେଟ ବ୍ୟବହାରକାରୀ ହୋଇଗଲେଣି ।  ଫେସବୁକ ଓ ହୁଆଟସଆପ ଭଳି ସୋସିଆଲ ମିଡ଼ିଆ ଇଣ୍ଟରନେଟକୁ ଆହୁରି ଲୋକପ୍ରିୟ କରିଦେଲାଣି । ଟେକ୍ନୋଲୋଜିର ବ୍ୟବହାର ସବୁବେଳେ ଲୋକଙ୍କ ସୁବିଧା ପାଇଁ ତିଆରି ହୋଇଥାଏ ।  ହେଲେ ଏସବୁକୁ ବ୍ୟବହାର କରୁଥିବା ଲୋକେ ସର୍ବନିମ୍ନ ସତର୍କତା ବିଷୟରେ ମଧ୍ୟ ଜାଣିବା ଦରକାର । କିଛିଟା ସତର୍କତା ଦ୍ୱାରା ଆମେ ଇଣ୍ଟରନେଟର ଏ ନୀଳ ସାଗରରେ ଆରାମରେ ସର୍ଫିଙ୍ଗ କରିପାରିବା । ବ୍ଲୁ ହୁଏଲ ଗେମ୍ କେବଳ ଗୋଟେ ସତର୍କ ଘଣ୍ଟି । ଇଣ୍ଟରନେଟରେ କଣ ସେୟାର କରିବା, କେମିତି ସେୟାର କରିବା, କଣ ବ୍ରାଉଜ କରିବା, କଣ ଡାଉନଲୋଡ଼ କରିବା, କେଉଁ ଆପ୍ ବ୍ୟବହାର କରିବା, କଣ default setting ରଖିବା.. ଏସବୁ ବିଷୟ ଉପରେ ନିଶ୍ଚୟ ଧ୍ୟାନ ଦିଅନ୍ତୁ । ମୋବାଇଲରେ ଇଣ୍ଟରନେଟ ଆପଣଙ୍କ ପାଇଁ ମଜା କିମ୍ବା ସାଙ୍ଗସାଥି ବନ୍ଧୁ ପରିଜନଙ୍କ ସହ ସମ୍ପର୍କ ରଖିବାର ମାଧ୍ୟମ ହୋଇପାରେ, ହେଲେ ଏଠି ବୁଲୁଥିବା ସାର୍କ (hacker) ମାନଙ୍କ ପାଇଁ ଆପଣ ହେଉଛନ୍ତି ଖାଦ୍ୟ । ସତର୍କ ରୁହନ୍ତୁ ଓ ଟିକେ tech savvy ବି ହୁଅନ୍ତୁ ।

ସତର୍କତା : ଯଦି କୋଣସି ବ୍ୟକ୍ତିଠାରୁ blue whale ଗେମ୍ କିମ୍ବା ସେହିପରି ଆଉ କିଛି ଗେମ୍ ର ଲିଙ୍କ କିମ୍ବା request ପାଉଛନ୍ତି, ତୁରନ୍ତ ସେ ବିଷୟରେ ପୁଲିସକୁ ସୂଚନା ଦିଅନ୍ତୁ । ହିରୋ-ଗିରି ଦେଖାଇ କିମ୍ବା ଉତ୍କଣ୍ଠାର ବଶବର୍ତ୍ତୀ ହୋଇ କେବେବି ଏ ଗେମ୍ କୁ ଖେଳନ୍ତୁ ନାହିଁ । 

Monday, 3 July 2017

ଜୋକଡିଆ ବ୍ୟାରେଜ

ସମସ୍ତଙ୍କ ପାଇଁ ସେ ଜୋକଡିଆ ବ୍ୟାରେଜ ହେଲେ ଆମ ପାଇଁ ତା ନାଁ ପାହିଆ ।


ଖରସୁଆ ନଦୀ ଉପରେ ନିର୍ମିତ ଏ ପୋଲ ହେଉଛି ବ୍ରିଟିଶ ଶାସନର ବିକାଶମୂଳକ କାର୍ଯ୍ୟର ଏକ ମୁଖସାକ୍ଷୀ । ନଦୀ ଏପଟେ ଜୋକଡିଆ ଓ ସେପଟେ ଶ୍ରୀବନ୍ତପୁର ଗାଁ । ମଝିରେ 13 ଟି ପଥର ସ୍ତମ୍ଭ ଉପରେ ଛିଡା ହୋଇଛି ଏ ପୋଲ । ନଦୀଜଳକୁ ତେରଟି ଲୁହା କବାଟ ଦ୍ୱାରା ଅଟକା ଯାଇ କୃଷିକାର୍ଯ୍ୟରେ ଲଗାଯାଉଥିଲା ସେତେବେଳେ ।


ଆମ ପିଲାବେଳେ ଏଇ ଲୁହା ପୋଲର ପାହିଆ ଉପରେ କେତେଥର ଯିବା ଆସିବା କରିଛୁ । ସେତେବେଳେ ଏ ପୋଲର ଦୁଇ ପାର୍ଶ୍ୱ ଲୁହାରେ ଓ ମଝିରେ କାଠ ପଟା ପଡିଥିଲା । ଏବେ କିନ୍ତୁ ପଟା ପରିବର୍ତ୍ତେ ଲୁହାର ଚାଦର ପଡିଛି । ପାହିଆରେ ପାରି ହେବା ଆମ ପାଇଁ କମ ଦୁଃସାହସିକ ନଥିଲା । ମଝିରେ ମଝିରେ କିଛି ପଟା ଭାଙ୍ଗି ଯାଇଥିଲା। ଭଙ୍ଗା ଦୋହଲୁଥିବା ପଟା ଫାଙ୍କର ତଳେ ଦେଖା ଯାଉଥିଲା ଖରସୁଆର ନୀଳ ପାଣି ।



ପୋଲର ଠିକ ତଳ ପାର୍ଶ୍ୱକୁ ପଥର ପ୍ୟାକିଂ ହୋଇ ପାହାଚ ପାହାଚ ହୋଇଛି । ଏଇ ପାହାଚରେ ପାଣି ଯାଇ କିଛି ଦୂରରେ ସମୁଦ୍ର ଲହଡ଼ି ଭଳି ଗର୍ଜନ କରୁଥାଏ ଅନବରତ ।




ନୂଆ ଲୋକଙ୍କ ପାଇଁ ପାହିଆ ପାରିହେବା ଥିଲା ଉଭୟ ରୋମାଞ୍ଚକର ତଥା ଭୀତି ସଞ୍ଚାରକାରୀ । ହେଲେ ଆଖପାଖର ଅନେକ ଗାଁ ଲୋକଙ୍କ ପାଇଁ ଏ ଥିଲା ଜୀବନର ଏକ ଅଂଶ । ସାଇକେଲ ପଛରେ କ୍ୱିଣ୍ଟାଲ ଓଜନର ପରିବା ଲଦି ଏ ପାହିଆ ପାରି ହୁଅନ୍ତି ଲୋକେ । ପରିବା ବୋଝେଇ ସାଇକେଲ ନେଇ ପାହିଆ ପାରି ହେଲା ବେଳେ ସେପଟରୁ ମଟର ସାଇକେଲ ଆସିଗଲେ ଅବସ୍ଥା ଖରାପ ହୋଇଯାଏ । ଏତେ କଷ୍ଟରେ ବି ପାହିଆ ଥିଲା ଅତି ଆପଣାର ।




ଏବେ ସେ କଷ୍ଟ ଆଉ ନାହିଁ । କିଛି ବର୍ଷ ତଳେ ତଳ ମୁଣ୍ଡରେ ତିଆରି ହୋଇଛି ଏକ ନୂଆ ପୋଲ । ଗାଡି ମଟର ଠାରୁ ନେଇ ବଡ଼ ଯାନ ବାହାନ ଏବେ ଯାତାୟାତ କରୁଛି ସେ ନୂଆ ପୋଲରେ । ପାହିଆ କିନ୍ତୁ ଏବେ ବି ସେମିତି ଅଛି । ବେଶୀ ଲୋକ ଆଉ ଯିବା ଆସିବା କରୁ ନାହାନ୍ତି ତା ଉପରେ । ତଥାପି କମିନି ପାହିଆର ସୌନ୍ଦର୍ଯ୍ୟ । ସେ ସେମିତି ଆଗଭଳି ଗର୍ଜନ କରୁଛି ଅନବରତ..


ଓଡ଼ିଆରେ ବ୍ଲଗ

କିଛିବର୍ଷ ତଳେ ସ୍ୱାସ୍ଥ୍ୟ ସଚେତନତା ଉପରେ ବିଜ୍ଞାପନଟିଏ ଟିଭିରେ ଆସୁଥିଲା । ଜଣେ ବ୍ୟକ୍ତି ନିଜ ପାଖରେ ବସିଥିବା ଅନ୍ୟ ଜଣେ ଅପରିଚିତ ବ୍ୟକ୍ତିଙ୍କୁ କୌଣସି ଏକ ରୋଗର କାରଣ ଓ ନିରାକରଣ ଉପରେ କିଛି ଶୁଣାଉଥିଲେ । ବ୍ୟକ୍ତିଙ୍କର କଥା ସରିଲା ପରେ ଶୁଣୁଥିବା ଅପରିଚିତ ବ୍ୟକ୍ତି ଜଣକ ପ୍ରଶ୍ନ କଲେ,
"ସବୁ ଠିକ ଯେ, ହେଲେ ଆପଣ ଏସବୁ ମୋତେ କାହିଁକି କହୁଛନ୍ତି? ମୁଁ ଜାଣିଛି ଏସବୁ କଥା ।"
ଉତ୍ତରରେ ବ୍ୟକ୍ତି ଜଣକ ଅଳ୍ପ ହସି କହିଲେ, "କାରଣ ଆପଣ ମୋ ଭଳି ଏସବୁ କଥା ଆଉ କାହାକୁ ଶୁଣେଇ ପାରିବେ ।"

2011ରେ କୋଲକାତାରୁ ହାଇଦ୍ରାବାଦ ଆସିଲା ପରେ ସାଙ୍ଗସାଥି ଗ୍ରୁପଟା ପଛରେ ରହିଗଲା । ସେତେବେଳେ ଫାଙ୍କା ସମୟରେ ଇଣ୍ଟରନେଟରୁ ଓଡ଼ିଆ ବହି କି ଲେଖା ଖଣ୍ଡେ ମୁଁ ବହୁତ ଖୋଜେ ପଢିବା ପାଇଁ । ହେଲେ ସେମିତି ଆଖିଦୃଶିଆ କିଛି ମିଳେନି । ଥରେ ଇଣ୍ଟରନେଟରେ କିଛି ଗୋଟେ ବିଷୟରେ ଖୋଜୁ ଖୋଜୁ ହଠାତ ହୃଷିକେଶ (@hmcs_hcu) ସାରଙ୍କ ଓଡ଼ିଆ ବ୍ଲଗ ଉପରେ ଆଖି ପଡିଲା । ବ୍ଲଗର ନାଁ, "ମୋ କଥା" । ଓଡ଼ିଆରେ ବୋଧେ ପ୍ରଥମ ଥର ପାଇଁ ଏମିତି ବ୍ଲଗଟିଏ ଦେଖିଲି । ଶାରଳା ମହାଭାରତରୁ ନେଇ ଢଗ ଢମାଳି, ଗାମୁଛାରୁ ନେଇ ପୋଡପିଠା ଯାଏ ଅନେକ କିଛି ଲେଖିଥିଲେ ସେ ସେଇ ବ୍ଲଗରେ । କଲେଜ ସମୟରୁ ମୋର କିଛି ନା କିଛି ଲେଖିବାର ଅଭ୍ୟାସ ଥିଲା । ଯେତେବେଳେ ବି ସମୟ ପାଏ, ଡାଏରୀରେ କିଛି ନା କିଛି ଅନାବନା ଗାରେଇ ପକାଏ । ହୃଷିକେଶ ସାରଙ୍କ ବ୍ଲଗକୁ ପଢିଲା ପରେ ଇଣ୍ଟରନେଟରେ ତାଙ୍କ ଭଳି ଗୋଟେ ବ୍ଲଗ ପେଜ୍ କରି ଲେଖିବାକୁ ମନ ହେଲା ।

ଏବେ ଦୁଇ ତିନୋଟି ବ୍ଲଗ ପେଜ୍ ରେ ଲେଖୁଛି ମୁଁ । ଯଦିଓ ରେଗୁଲାର ଲେଖି ହେଉନି ତଥାପି କାଁ ଭାଁ କେମିତି ମୁଡ୍ ହେଲେ ଲେଖେ । ଓଡ଼ିଆ ଅକ୍ଷର ପାଇଁ ଗୁଗୁଲ ଇନପୁଟ ଟୁଲସ (https://www.google.com/inputtools/try/) ବ୍ୟବହାର କରି ଲେଖେ ଏସବୁ । ଟିକେ କଷ୍ଟକର ବ୍ୟାପାର ଏଇଟା । ଗୋଟେ ପାରାଗ୍ରାଫ ଲେଖି ସାରିଲା ପରେ ତାକୁ ନେଇ ବ୍ଲଗ ପେଜ୍ ରେ ପେଷ୍ଟ କର । ଅନେକ ସମୟରେ ଅଧାରୁ ମୁଡ୍ ଭାଙ୍ଗିଯାଏ । ଶେଷରେ ଏତେ କଷ୍ଟରେ ଲେଖିଲେ ବି ବେଶୀ କିଛି ପାଠକୀୟ response ମିଳେନା । ଏହାର ମଧ୍ୟ ଦୁଇଟା କାରଣ ହୋଇପାରେ । ଅନେକ ବ୍ୟକ୍ତି ଇଣ୍ଟରନେଟରେ external ଲିଙ୍କଟିଏରେ କ୍ଲିକ କରି ପଢିବାକୁ ଭଲ ପାଆନ୍ତିନି ଓ ଦ୍ୱିତୀୟଟି ହେଲା, ସମୟର ଅଭାବ । ତୃତୀୟ କାରଣଟି ଲେଖାର ମାନ ହୋଇପାରେ । କିନ୍ତୁ ସେଇଟାକୁ ମୁଁ ignore କରୁଛି କାରଣ ପାଠକ ଜଣେ ବ୍ଲଗର ଲିଙ୍କ ଉପରେ କ୍ଲିକ କରି ଦୁଇ ଚାରି ଧାଡି ପଢି ସାରିଲା ପରେ ସିନା ଜାଣିବ, ଲେଖାଟି ଭଲ କି ଖରାପ ।

ସେ ଯାହାବି କାରଣ ହେଉ, ମୋର କିନ୍ତୁ ମନେପଡେ ସେ ଟିଭି ବିଜ୍ଞାପନର କଥା । ଯେବେବି ଲେଖିବାକୁ ମନ ହେଉଛି, ଲେଖି ଚାଲ । କେହି ତ ଜଣେ କେବେ ତୁମ ବ୍ଲଗରୁ ଉତ୍ସାହିତ ହୋଇ ନିଜେ ଓଡ଼ିଆରେ ବ୍ଲଗଟିଏ ଲେଖିବ । ଯେମିତି ମୁଁ ଥରେ ପ୍ରେରଣା ପାଇଥିଲି ହୃଷିକେଶ ସାରଙ୍କ ବ୍ଲଗରୁ :)

Sunday, 23 April 2017

ଉର୍ଦ୍ଧ୍ଵମୁଖୀ

ଏୟାରହୋଷ୍ଟେସ ମାନଙ୍କର ବୈଧାନିକ ସୂଚନା ପରେ ଉଡ଼ାଜାହାଜଟି ଭୂଇଁ ଛାଡି ଆକାଶ ମୁହାଁ ହୁଏ । ବିମାନ ଭିତରର ଚାପରେ କାନ ପରଦାଟା ଫାଟି ଗଲା ପରି ଲାଗେ । ଢ଼ଳେଇ ହୋଇ ଆକାଶ ମୁଖା ଉଡ଼ାଜାହାଜଟି ବାଦଲକୁ ଛୁଇଁବାକୁ ଉଦ୍ୟତ ହେଉଥିଲା ବେଳେ ଭିତରେ ବସି ମୁଁ ଚାହେଁ ଝରକା ବାଟେ ବାହାରକୁ । ବାଦଲ ଗହଳରେ ବିମାନଟି ପୁରାପୁରି ଲୁଚି ଯିବା ପୂର୍ବରୁ ଭଲକରି ଟିକେ ଦେଖିନିଏ ତଳେ ଛାଡି ଦେଇ ଆସିଥିବା ସହରକୁ । ଗୁଗୁଲ ମ୍ୟାପର ମାନଚିତ୍ର ଭଳି ହୋଇ ସାରିଥାଏ ସହରଟି । କୋଠାବାଡି, ରାସ୍ତାଘାଟ ସବୁ ଛୋଟ ହୋଇ ସାରିଥାଏ । ଧଳା ଚିହ୍ନ ପରି ଦେଖା ଯାଉଥାଏ କିଛି ସମୟ ପୂର୍ବରୁ ଛାଡି ଆସିଥିବା ଗମନଚୁମ୍ବି ଅଟ୍ଟାଳିକା ସବୁ । ଏଇ କୋଠାବାଡି, ଅଟ୍ଟାଳିକା ଭିତରେ କେଉଁଠି ବଖୁରିକିଆ କି ଦୁଇ ବଖୁରିଆ ଘର ଭିତରେ ମଣିଷଟିଏ ଗଢୁଥିବ ତା ସଂସାର । ଦେଖୁଥିବ କେତେ ସପନ । କିଛି ନିଜ ପାଇଁ, କିଛି ନିଜ ଛୁଆପିଲାଙ୍କ ପାଇଁ । ତାରି ଭିତରେ ପୁଣି କରୁଥିବ ଝଗଡା, କଳି ତକରାଳ । କେବେ ସ୍ୱାମୀ ସ୍ତ୍ରୀ ଭିତରେ, ପରିବାର ପରିବାର ଭିତରେ, ସାହି ପଡ଼ିଶା ଭିତରେ, ସହକର୍ମୀଙ୍କ ଭିତରେ ନହେଲେ କେବେ ଟ୍ରାଫିକ ଜାମରେ କେଉଁ ଅଜଣା ଲୋକଙ୍କ ଭିତରେ । କେବେ ଗୁରୁତର କଥାକୁ ନେଇ ତ କେବେ ଗୁରୁତ୍ୱହୀନ ଅତି ମାମୁଲି କଥାକୁ ନେଇ ।

ବାଦଲ ଉପରକୁ ପୁରାପୁରି ଉଠିଯାଏ ବିମାନଟି । ତଳେ ସହରଟି ରହିଯାଏ ବହୁ ପଛରେ । ଶାନ୍ତ, ନୀରବ ଏ ନୀଳ ଶୁନ୍ୟତା ଭିତରେ ପ୍ରକୃତିଟି ଲାଗେ ସ୍ଥିର, ଶୀତଳ । ଦୈନନ୍ଦିନ ଜୀବନର ଧାଁ ଦୌଡ଼, ତୁ ତୁ ମେଁ ମେଁ, ମୁହଁ ଫୁଲାଫୁଲି.. ସବୁକିଛି ଠାରୁ ଉର୍ଦ୍ଧ୍ଵକୁ ଉଠି ସାରିଥାଏ ଏ ମନ କିଛି କ୍ଷଣ ପାଇଁ । 

ଦୌଡ଼

ଚେନ୍ନାଇରେ ଥିଲାବେଳେ ମୋ ଅଫିସଟା ଥିଲା ପଞ୍ଚମ ମହଲାରେ । ସଂଧ୍ୟାବେଳେ ଅଫିସର ପରଦାଟି ଟାଣିଦେଲେ କାଚଘରର ସେପାଖରେ ଦେଖାଯାଏ ତ୍ରିଭାନମିୟୁର ମେଟ୍ରୋ ଷ୍ଟେସନ । ମଝିରେ କଳା ରଙ୍ଗର ରାସ୍ତା । ବିଭିନ୍ନ ମଡେଲର କାର, ବାଇକ ଓ ମାଟିଆ ବସ୍ ରେ ଛୁଟୁଥାନ୍ତି ଲୋକମାନେ ସେ ରାସ୍ତାରେ । କାଚ କାନ୍ଥର ଅଫିସ ଭିତରକୁ ଆସେନା ବାହାରର କୋଳାହଳ । ଲକ୍ଷ୍ୟ କରୁଥାଏ ମୁଁ ଲୋକଙ୍କର ଏ ଧାଁ ଦଉଡ଼କୁ । ମୋର ମନେ ପଡିଯାଏ ଅନେକ ଦିନ ତଳେ ପ୍ରଜାତନ୍ତ୍ର ସାପ୍ତାହିକୀରେ ପଢିଥିବା ଭୀମ ପୃଷ୍ଟିଙ୍କର ଗପଟିଏ ।

"ହୋ ମଣିଷ ମାନେ, କୁଆଡେ ଧାଉଁଛ ସବୁ?"



ନିଦ

କିଛିଦିନ ତଳେ ନେଟରୁ ପଢିଲି ଗପଟିଏ, "ମିମିର ସାହିତ୍ୟ ଶିକ୍ଷା" । ବାମା ଚରଣ ମିତ୍ରଙ୍କ ଲେଖା ।

ମନେ ପଡ଼ିଗଲା ପିଲାଦିନ । ସଂଧ୍ୟା ହେଲେ ଗୋଡହାତ ଧୋଇ ପାର୍ଥନା କରିବା । ସପ ପକାଇ ବସି ବହିବସ୍ତାନି ଖୋଲିବା । ପୁରୁଣା ଲଣ୍ଠନ କାଚ ସଫାକରି ଲଗେଇବା । ଅଜବ ଥିଲା ସେ ଦିନ ସବୁ । ମିଞ୍ଜି ମିଞ୍ଜି ଆଲୁଅରେ ହେଉଥିଲା ପାଠପଢା । ଆଠଟା ବାଜିଲେ କିନ୍ତୁ କେଉଁ ଆଡୁ ଘୋଟି ଆସୁଥିଲା ନିଦ । ଆଖି ପଡି ଯାଉଥିଲା ଲାଲ ଓ ପତା ହୋଇ ଯାଉଥିଲା ଭାରି ଭାରି ।

ଏବେ ଅଫିସରୁ ବାହାରିଲା ବେଳକୁ ହୋଇଯାଉଛି ରାତି ନଅ । ଟିଭି, ମୋବାଇଲ, କମ୍ପ୍ୟୁଟର ଭିତରେ ଆଜି ନିରୁଦ୍ଧିଷ୍ଟ ହୋଇଯାଇଛି ନିଦ ।