Monday, 3 July 2017

ଜୋକଡିଆ ବ୍ୟାରେଜ

ସମସ୍ତଙ୍କ ପାଇଁ ସେ ଜୋକଡିଆ ବ୍ୟାରେଜ ହେଲେ ଆମ ପାଇଁ ତା ନାଁ ପାହିଆ ।


ଖରସୁଆ ନଦୀ ଉପରେ ନିର୍ମିତ ଏ ପୋଲ ହେଉଛି ବ୍ରିଟିଶ ଶାସନର ବିକାଶମୂଳକ କାର୍ଯ୍ୟର ଏକ ମୁଖସାକ୍ଷୀ । ନଦୀ ଏପଟେ ଜୋକଡିଆ ଓ ସେପଟେ ଶ୍ରୀବନ୍ତପୁର ଗାଁ । ମଝିରେ 13 ଟି ପଥର ସ୍ତମ୍ଭ ଉପରେ ଛିଡା ହୋଇଛି ଏ ପୋଲ । ନଦୀଜଳକୁ ତେରଟି ଲୁହା କବାଟ ଦ୍ୱାରା ଅଟକା ଯାଇ କୃଷିକାର୍ଯ୍ୟରେ ଲଗାଯାଉଥିଲା ସେତେବେଳେ ।


ଆମ ପିଲାବେଳେ ଏଇ ଲୁହା ପୋଲର ପାହିଆ ଉପରେ କେତେଥର ଯିବା ଆସିବା କରିଛୁ । ସେତେବେଳେ ଏ ପୋଲର ଦୁଇ ପାର୍ଶ୍ୱ ଲୁହାରେ ଓ ମଝିରେ କାଠ ପଟା ପଡିଥିଲା । ଏବେ କିନ୍ତୁ ପଟା ପରିବର୍ତ୍ତେ ଲୁହାର ଚାଦର ପଡିଛି । ପାହିଆରେ ପାରି ହେବା ଆମ ପାଇଁ କମ ଦୁଃସାହସିକ ନଥିଲା । ମଝିରେ ମଝିରେ କିଛି ପଟା ଭାଙ୍ଗି ଯାଇଥିଲା। ଭଙ୍ଗା ଦୋହଲୁଥିବା ପଟା ଫାଙ୍କର ତଳେ ଦେଖା ଯାଉଥିଲା ଖରସୁଆର ନୀଳ ପାଣି ।



ପୋଲର ଠିକ ତଳ ପାର୍ଶ୍ୱକୁ ପଥର ପ୍ୟାକିଂ ହୋଇ ପାହାଚ ପାହାଚ ହୋଇଛି । ଏଇ ପାହାଚରେ ପାଣି ଯାଇ କିଛି ଦୂରରେ ସମୁଦ୍ର ଲହଡ଼ି ଭଳି ଗର୍ଜନ କରୁଥାଏ ଅନବରତ ।




ନୂଆ ଲୋକଙ୍କ ପାଇଁ ପାହିଆ ପାରିହେବା ଥିଲା ଉଭୟ ରୋମାଞ୍ଚକର ତଥା ଭୀତି ସଞ୍ଚାରକାରୀ । ହେଲେ ଆଖପାଖର ଅନେକ ଗାଁ ଲୋକଙ୍କ ପାଇଁ ଏ ଥିଲା ଜୀବନର ଏକ ଅଂଶ । ସାଇକେଲ ପଛରେ କ୍ୱିଣ୍ଟାଲ ଓଜନର ପରିବା ଲଦି ଏ ପାହିଆ ପାରି ହୁଅନ୍ତି ଲୋକେ । ପରିବା ବୋଝେଇ ସାଇକେଲ ନେଇ ପାହିଆ ପାରି ହେଲା ବେଳେ ସେପଟରୁ ମଟର ସାଇକେଲ ଆସିଗଲେ ଅବସ୍ଥା ଖରାପ ହୋଇଯାଏ । ଏତେ କଷ୍ଟରେ ବି ପାହିଆ ଥିଲା ଅତି ଆପଣାର ।




ଏବେ ସେ କଷ୍ଟ ଆଉ ନାହିଁ । କିଛି ବର୍ଷ ତଳେ ତଳ ମୁଣ୍ଡରେ ତିଆରି ହୋଇଛି ଏକ ନୂଆ ପୋଲ । ଗାଡି ମଟର ଠାରୁ ନେଇ ବଡ଼ ଯାନ ବାହାନ ଏବେ ଯାତାୟାତ କରୁଛି ସେ ନୂଆ ପୋଲରେ । ପାହିଆ କିନ୍ତୁ ଏବେ ବି ସେମିତି ଅଛି । ବେଶୀ ଲୋକ ଆଉ ଯିବା ଆସିବା କରୁ ନାହାନ୍ତି ତା ଉପରେ । ତଥାପି କମିନି ପାହିଆର ସୌନ୍ଦର୍ଯ୍ୟ । ସେ ସେମିତି ଆଗଭଳି ଗର୍ଜନ କରୁଛି ଅନବରତ..


ଓଡ଼ିଆରେ ବ୍ଲଗ

କିଛିବର୍ଷ ତଳେ ସ୍ୱାସ୍ଥ୍ୟ ସଚେତନତା ଉପରେ ବିଜ୍ଞାପନଟିଏ ଟିଭିରେ ଆସୁଥିଲା । ଜଣେ ବ୍ୟକ୍ତି ନିଜ ପାଖରେ ବସିଥିବା ଅନ୍ୟ ଜଣେ ଅପରିଚିତ ବ୍ୟକ୍ତିଙ୍କୁ କୌଣସି ଏକ ରୋଗର କାରଣ ଓ ନିରାକରଣ ଉପରେ କିଛି ଶୁଣାଉଥିଲେ । ବ୍ୟକ୍ତିଙ୍କର କଥା ସରିଲା ପରେ ଶୁଣୁଥିବା ଅପରିଚିତ ବ୍ୟକ୍ତି ଜଣକ ପ୍ରଶ୍ନ କଲେ,
"ସବୁ ଠିକ ଯେ, ହେଲେ ଆପଣ ଏସବୁ ମୋତେ କାହିଁକି କହୁଛନ୍ତି? ମୁଁ ଜାଣିଛି ଏସବୁ କଥା ।"
ଉତ୍ତରରେ ବ୍ୟକ୍ତି ଜଣକ ଅଳ୍ପ ହସି କହିଲେ, "କାରଣ ଆପଣ ମୋ ଭଳି ଏସବୁ କଥା ଆଉ କାହାକୁ ଶୁଣେଇ ପାରିବେ ।"

2011ରେ କୋଲକାତାରୁ ହାଇଦ୍ରାବାଦ ଆସିଲା ପରେ ସାଙ୍ଗସାଥି ଗ୍ରୁପଟା ପଛରେ ରହିଗଲା । ସେତେବେଳେ ଫାଙ୍କା ସମୟରେ ଇଣ୍ଟରନେଟରୁ ଓଡ଼ିଆ ବହି କି ଲେଖା ଖଣ୍ଡେ ମୁଁ ବହୁତ ଖୋଜେ ପଢିବା ପାଇଁ । ହେଲେ ସେମିତି ଆଖିଦୃଶିଆ କିଛି ମିଳେନି । ଥରେ ଇଣ୍ଟରନେଟରେ କିଛି ଗୋଟେ ବିଷୟରେ ଖୋଜୁ ଖୋଜୁ ହଠାତ ହୃଷିକେଶ (@hmcs_hcu) ସାରଙ୍କ ଓଡ଼ିଆ ବ୍ଲଗ ଉପରେ ଆଖି ପଡିଲା । ବ୍ଲଗର ନାଁ, "ମୋ କଥା" । ଓଡ଼ିଆରେ ବୋଧେ ପ୍ରଥମ ଥର ପାଇଁ ଏମିତି ବ୍ଲଗଟିଏ ଦେଖିଲି । ଶାରଳା ମହାଭାରତରୁ ନେଇ ଢଗ ଢମାଳି, ଗାମୁଛାରୁ ନେଇ ପୋଡପିଠା ଯାଏ ଅନେକ କିଛି ଲେଖିଥିଲେ ସେ ସେଇ ବ୍ଲଗରେ । କଲେଜ ସମୟରୁ ମୋର କିଛି ନା କିଛି ଲେଖିବାର ଅଭ୍ୟାସ ଥିଲା । ଯେତେବେଳେ ବି ସମୟ ପାଏ, ଡାଏରୀରେ କିଛି ନା କିଛି ଅନାବନା ଗାରେଇ ପକାଏ । ହୃଷିକେଶ ସାରଙ୍କ ବ୍ଲଗକୁ ପଢିଲା ପରେ ଇଣ୍ଟରନେଟରେ ତାଙ୍କ ଭଳି ଗୋଟେ ବ୍ଲଗ ପେଜ୍ କରି ଲେଖିବାକୁ ମନ ହେଲା ।

ଏବେ ଦୁଇ ତିନୋଟି ବ୍ଲଗ ପେଜ୍ ରେ ଲେଖୁଛି ମୁଁ । ଯଦିଓ ରେଗୁଲାର ଲେଖି ହେଉନି ତଥାପି କାଁ ଭାଁ କେମିତି ମୁଡ୍ ହେଲେ ଲେଖେ । ଓଡ଼ିଆ ଅକ୍ଷର ପାଇଁ ଗୁଗୁଲ ଇନପୁଟ ଟୁଲସ (https://www.google.com/inputtools/try/) ବ୍ୟବହାର କରି ଲେଖେ ଏସବୁ । ଟିକେ କଷ୍ଟକର ବ୍ୟାପାର ଏଇଟା । ଗୋଟେ ପାରାଗ୍ରାଫ ଲେଖି ସାରିଲା ପରେ ତାକୁ ନେଇ ବ୍ଲଗ ପେଜ୍ ରେ ପେଷ୍ଟ କର । ଅନେକ ସମୟରେ ଅଧାରୁ ମୁଡ୍ ଭାଙ୍ଗିଯାଏ । ଶେଷରେ ଏତେ କଷ୍ଟରେ ଲେଖିଲେ ବି ବେଶୀ କିଛି ପାଠକୀୟ response ମିଳେନା । ଏହାର ମଧ୍ୟ ଦୁଇଟା କାରଣ ହୋଇପାରେ । ଅନେକ ବ୍ୟକ୍ତି ଇଣ୍ଟରନେଟରେ external ଲିଙ୍କଟିଏରେ କ୍ଲିକ କରି ପଢିବାକୁ ଭଲ ପାଆନ୍ତିନି ଓ ଦ୍ୱିତୀୟଟି ହେଲା, ସମୟର ଅଭାବ । ତୃତୀୟ କାରଣଟି ଲେଖାର ମାନ ହୋଇପାରେ । କିନ୍ତୁ ସେଇଟାକୁ ମୁଁ ignore କରୁଛି କାରଣ ପାଠକ ଜଣେ ବ୍ଲଗର ଲିଙ୍କ ଉପରେ କ୍ଲିକ କରି ଦୁଇ ଚାରି ଧାଡି ପଢି ସାରିଲା ପରେ ସିନା ଜାଣିବ, ଲେଖାଟି ଭଲ କି ଖରାପ ।

ସେ ଯାହାବି କାରଣ ହେଉ, ମୋର କିନ୍ତୁ ମନେପଡେ ସେ ଟିଭି ବିଜ୍ଞାପନର କଥା । ଯେବେବି ଲେଖିବାକୁ ମନ ହେଉଛି, ଲେଖି ଚାଲ । କେହି ତ ଜଣେ କେବେ ତୁମ ବ୍ଲଗରୁ ଉତ୍ସାହିତ ହୋଇ ନିଜେ ଓଡ଼ିଆରେ ବ୍ଲଗଟିଏ ଲେଖିବ । ଯେମିତି ମୁଁ ଥରେ ପ୍ରେରଣା ପାଇଥିଲି ହୃଷିକେଶ ସାରଙ୍କ ବ୍ଲଗରୁ :)