Friday, 10 August 2018

କାଳିଜାଇରେ ସନ୍ଧ୍ୟା

(ସ୍କୁଲ ବହିରୁ ସଂଗୃହିତ)

କାତ ଧରି ଧୀରେ ନାଉରି
ନାଆ ଦେଇଛି ମେଲି,
ଉତ୍ତରା ପବନ ଆଗକୁ
ଦିଏ ତଲେଇ ଠେଲି ।

ନାଚି ନାଚି ଖେଳେ ତରଣୀ
ନାଚେ ଶତ ତରଙ୍ଗ,
ଉଡି ଆସି ଜଳେ ଭାସନ୍ତି
କାହିଁ କେତେ ବିହଙ୍ଗ ।

ହଂସ ହଂସରାଳୀ ଖେଳନ୍ତି
ଢେଉ ଦୋଳିରେ ଖେଳ,
ଆସିଲାଣି ଖରା ମଉଳି
ଛାଇ ଲେଉଟା ବେଳ ।

ମାଛରଙ୍କା ପକ୍ଷୀ ଉଡଇ
ଡେଣା ଝାଡ଼ି ଆକାଶେ,
ଲକ୍ଷ୍ୟ ରଖି ଜଳେ ବୁଡଇ
ମୀନ ଧରିବା ଆଶେ ।

ଚାହୁଁ ଚାହୁଁ ଯାଇ ଗଭୀର
ଜଳେ ପଡିଲା ନାଆ,
ଅକାତ ପାଣି ସେ ଗଣ୍ଡରେ
କାଳିଜାଇ ତା ନାଆଁ ।

କାତ ରଖି ନାବେ ନାଉରି
ନେଲା ଆହୁଲା କରେ,
ମା କାଳିଜାଇ ସୁମରି
ମଙ୍ଗ ସଳଖି ଧରେ ।

ନୀଳ ଊର୍ମିମାଳା ଉଠଇ
ବହେ ପବନ ଖର,
ଛିଟିକି ପଡଇ ନାଆରେ
ପାଣି ଥରକୁ ଥର ।

ନାଆ ପାଶେ ଖେଳେ ମଗର
ବୁଡି ଛଟକି ଉଠେ,
ଖେଳେ ଶିଶୁମାର ଶାଙ୍କୁଚ
ପୁଣି ଲାଙ୍ଗୁଡ଼ ପିଟେ ।

ପାରି ହୋଇ ଗଣ୍ଡ ବିଷମ
ନାଆ ଲାଗିଲା କୂଳେ,
ସୁଷମା ନିରେଖି ଉଠିଲା
ଶ୍ୟାମ ଶଇଳ ଚୁଳେ ।

ବୁଡି ଯାଉଥିଲେ ସବିତା
ଦୂର ଭାଲେରି ଶିଖେ,
ଉଡି ଆସୁଥିଲେ ବିହଙ୍ଗ
ସୁଖେ ଜଟିଆ ମୁଖେ ।

ଅସ୍ତଗାମୀ ରବି କିରଣ
ପଡି ଚିଲିକା ଜଳେ,
ଦିଶଇ ପ୍ରବାଳ ବାରଣ
ଶୋଭା ବଚନ ବଳେ ।

ଚଢେଇଗୁହାର ଶିଖକୁ
ଚାହିଁ ଉଡଇ ଏରା,
ଲୋହିତ ଧବଳ ପକ୍ଷରେ
କେଡେ ଦିଶଇ ତୋରା ।

ଭାଲେରୀ ପାହାଡ଼ ଉହାଡେ
ଲୁଚି ଗଲେଣି ରବି,
ପଶ୍ଚିମ ଆକାଶେ ଝଟକେ
ପୀତ ଲୋହିତ ଛବି ।

ଦିଶେ ପାରିକୁଦ ମାଲୁଦ
ଦୂରୁ ଛାୟା ପରାୟେ,
ସନ୍ଧ୍ୟାତାରା ନଭେ ହିରନ
ସମ କି ଶୋଭା ପାଏ ।

ଦେଖୁଛି ଚିଲିକା ସପନେ 
ତୋର ଅତୀତ ଶିରୀ,
ମୁହାଣୁ ତୋହର ବୋଇତ
ଯେବେ ଥିବ ବାହାରି ।

ସିନ୍ଧୁ ପାରେ ଯାଇ ଓଡ଼ିଆ
ପୁଏ କରି ବେପାର,
ଆଣୁଥିଲେ ବୋହି ଦେଶକୁ
ଧନରତ୍ନ ଅପାର ।

ଆଜି ଏ ମୁହାଣ ପାଶେ କି
ଗଢା ହେବ ବନ୍ଦର,
ବିପଣି ମାଳାରେ ବିଜନ
ବେଳା ହେବ ମୁଖର ।

ତୋ ଜଳେ ଶରତେ ଭାସନ୍ତି
କେତେ ମରାଳ ପନ୍ତି,
ଭାସିବେ କି ସିନ୍ଧୁ ସଲିଳେ
ତୋର ପୋତ ପଙ୍କାତି ।

ବିଦେଶ ବେପାରୀ ଆଣିବେ
ଦେଶେ ନାନା ବିଭବ,
ଫେରିବ କି ଶୋଭାମୟୀ ଗୋ
ତୋର ଲୁପ୍ତ ଗୌରବ ।

Wednesday, 3 January 2018

ସାନାର ଫୁଲଗଛ


କୁନି ଝିଅଟିଏ ନାଁ ତାର ସାନା ସାନା ଦିନେ ବାପାଙ୍କ ସହ ମେଳାକୁ ବୁଲି ଯାଇଥିଲା ମେଳାରେ କେତେ ପ୍ରକାରର ଖେଳଣା, ରଙ୍ଗ ବେରଙ୍ଗର ବେଲୁନ ନାନା ରକମର ମିଠା ବିକ୍ରି ହେଉଥିଲା ଟିକେ ଆଗରେ ଲୋକଟିଏ ବସି ବିକ୍ରି କରୁଥିଲା ଫୁଲଗଛ ଫୁଲ ଚାରା ସାନା ଟିକେ ଅଟକି ଫୁଲ ସବୁକୁ ଦେଖିଲା ଲୋକଟି ସାନା ହାତକୁ ମଞ୍ଜିଟିଏ ବଢ଼େଇ ଦେଲା ସାନା ତା ପାଖରୁ ମଞ୍ଜିଟି ଆଣି ମନ ଖୁସିରେ ଘରକୁ ଫେରିଲା । 
 
ସାନାର ଘର ସାମନାରେ ପଡିଆଟିଏ ସାନା ପଡିଆର ଗୋଟେ କଣରେ ଟିକେ ମାଟି ଖୋଳି ମଞ୍ଜି ପୋତିଦେଲା ଘରୁ ପାଣି ଆଣି ସେଠି ଦେଲା କିଛି ଦିନ ପରେ ମଞ୍ଜିରୁ ଗଜା ହୋଇ ପତ୍ର ବାହାରିଲା ସାନା ସବୁଦିନ କୁନି ଗଛଟି ମୂଳରେ ପାଣି ଦେଉଥିଲା ଗଛଟି ବଡ଼ ହେଲା ସେଥିରେ ଦୁଇଟା ପତ୍ର, ଦୁଇଟା କଢ଼ ଗୋଟେ ଫୁଲ ହେଲା ସାନାର ସାଙ୍ଗ ଅନ୍ୟ ପିଲାମାନେ ଆସି ସେ ଫୁଲଗଛକୁ ଦେଖିଲେ ସେହି ସମୟରେ ଜଣେ ଜୋକର ଆସି ପହଞ୍ଚିଲା ଜୋକରଟି ରଙ୍ଗୀନ ସାର୍ଟ, ନାଲି ପ୍ୟାଣ୍ଟ ନାଲି ଟୋପି ପିନ୍ଧିଥିଲା ସବୁ ପିଲା ଜୋକରକୁ ନଦେଖି ଫୁଲଗଛକୁ ଦେଖିଲେ ଜୋକର ମନ ଦୁଃଖ କରି ସେଠାରୁ ଚାଲିଗଲା । 


 
ତାପରେ ସବୁ ପିଲାମାନେ ଫୁଲଗଛଟିର ଯତ୍ନ ନେଲେ ଗଛ ମୂଳରୁ ଅନାବନା ଘାସ ଲତା ଉପାଡି ଦେଲେ ଗଛ ମୂଳରେ ପାଣି ଦେଲେ । 
 
ଏବେ ସେ ଗଛଟି ବଡ଼ ହୋଇଗଲାଣି ସେଥିରେ ଏବେ ଦୁଇଟା ପତ୍ର ତିନିଟା ଫୁଲ ଫୁଟିଛି ସବୁ ପିଲାମାନେ ଫୁଲଗଛକୁ ଦେଖି ଖୁସି ହେଉଛନ୍ତି

                          -0- 

ଲେଖା ଓ ଚିତ୍ର : Archisa Swain (5 yrs)