ଏୟାରହୋଷ୍ଟେସ ମାନଙ୍କର ବୈଧାନିକ ସୂଚନା ପରେ ଉଡ଼ାଜାହାଜଟି ଭୂଇଁ ଛାଡି ଆକାଶ ମୁହାଁ ହୁଏ । ବିମାନ ଭିତରର ଚାପରେ କାନ ପରଦାଟା ଫାଟି ଗଲା ପରି ଲାଗେ । ଢ଼ଳେଇ ହୋଇ ଆକାଶ ମୁଖା ଉଡ଼ାଜାହାଜଟି ବାଦଲକୁ ଛୁଇଁବାକୁ ଉଦ୍ୟତ ହେଉଥିଲା ବେଳେ ଭିତରେ ବସି ମୁଁ ଚାହେଁ ଝରକା ବାଟେ ବାହାରକୁ । ବାଦଲ ଗହଳରେ ବିମାନଟି ପୁରାପୁରି ଲୁଚି ଯିବା ପୂର୍ବରୁ ଭଲକରି ଟିକେ ଦେଖିନିଏ ତଳେ ଛାଡି ଦେଇ ଆସିଥିବା ସହରକୁ । ଗୁଗୁଲ ମ୍ୟାପର ମାନଚିତ୍ର ଭଳି ହୋଇ ସାରିଥାଏ ସହରଟି । କୋଠାବାଡି, ରାସ୍ତାଘାଟ ସବୁ ଛୋଟ ହୋଇ ସାରିଥାଏ । ଧଳା ଚିହ୍ନ ପରି ଦେଖା ଯାଉଥାଏ କିଛି ସମୟ ପୂର୍ବରୁ ଛାଡି ଆସିଥିବା ଗମନଚୁମ୍ବି ଅଟ୍ଟାଳିକା ସବୁ । ଏଇ କୋଠାବାଡି, ଅଟ୍ଟାଳିକା ଭିତରେ କେଉଁଠି ବଖୁରିକିଆ କି ଦୁଇ ବଖୁରିଆ ଘର ଭିତରେ ମଣିଷଟିଏ ଗଢୁଥିବ ତା ସଂସାର । ଦେଖୁଥିବ କେତେ ସପନ । କିଛି ନିଜ ପାଇଁ, କିଛି ନିଜ ଛୁଆପିଲାଙ୍କ ପାଇଁ । ତାରି ଭିତରେ ପୁଣି କରୁଥିବ ଝଗଡା, କଳି ତକରାଳ । କେବେ ସ୍ୱାମୀ ସ୍ତ୍ରୀ ଭିତରେ, ପରିବାର ପରିବାର ଭିତରେ, ସାହି ପଡ଼ିଶା ଭିତରେ, ସହକର୍ମୀଙ୍କ ଭିତରେ ନହେଲେ କେବେ ଟ୍ରାଫିକ ଜାମରେ କେଉଁ ଅଜଣା ଲୋକଙ୍କ ଭିତରେ । କେବେ ଗୁରୁତର କଥାକୁ ନେଇ ତ କେବେ ଗୁରୁତ୍ୱହୀନ ଅତି ମାମୁଲି କଥାକୁ ନେଇ ।
ବାଦଲ ଉପରକୁ ପୁରାପୁରି ଉଠିଯାଏ ବିମାନଟି । ତଳେ ସହରଟି ରହିଯାଏ ବହୁ ପଛରେ । ଶାନ୍ତ, ନୀରବ ଏ ନୀଳ ଶୁନ୍ୟତା ଭିତରେ ପ୍ରକୃତିଟି ଲାଗେ ସ୍ଥିର, ଶୀତଳ । ଦୈନନ୍ଦିନ ଜୀବନର ଧାଁ ଦୌଡ଼, ତୁ ତୁ ମେଁ ମେଁ, ମୁହଁ ଫୁଲାଫୁଲି.. ସବୁକିଛି ଠାରୁ ଉର୍ଦ୍ଧ୍ଵକୁ ଉଠି ସାରିଥାଏ ଏ ମନ କିଛି କ୍ଷଣ ପାଇଁ ।

No comments:
Post a Comment