Saturday, 21 February 2015

ମହାଶିବରାତ୍ରି

ଶିବରାତ୍ରୀରେ ଉପବାସ କରି ମହାଦୀପକୁ ଅପେକ୍ଷା କରିବାର ଏ ଅଜବ ଖିଆଲ, ମୋର ଆରମ୍ଭ ହୋଇଥିଲା ଏକ ସଂଯୋଗରୁ । କଲେଜ ବେଳର ଘଟଣା । ଥରେ ଶିବରାତ୍ରୀରେ ବାଲେଶ୍ଵରର ଜଣେ ସାଙ୍ଗ ଘରକୁ ଯାଇଥାଏ । ତାଙ୍କ ଘରେ ଛୋଟଠାରୁ ବଡ଼ ଏମିତିକି ସାରା ଗାଁ'ର ଲୋକଙ୍କୁ ଏତେ ଉତ୍ସାହର ସହ ଉପବାସ କରି ଶିବରାତ୍ରୀ ପାଳନ କରିବା ଦେଖି ଆମେବି  (ମୁଁ ଓ ମୋର ଆଉ ଜଣେ ସାଙ୍ଗ)  ଆରମ୍ଭ କରିଦେଲୁ ଉପବାସ  ।

ସକାଳୁ ସକାଳୁ ତ ସେମିତି କିଛି ଜଣା ପଡିଲାଣି କିନ୍ତୁ ଅସଲ ପରୀକ୍ଷା ଆରମ୍ଭ ହେଲା ଯେତେବେଳେ ଦିନ ବଢି ବଢି ଚାଲିଲା ।  ବାରଟା ପରେ ତ ଆଉ କିଛି ବୁଦ୍ଧି ବାଟ ଦେଖାଗଲାନି । ଭୋକରେ ମୁଣ୍ଡ ଆଉ କାମ କରୁ ନଥାଏ । ସ୍ଥିର କଲୁ ଆଉ ହେବନି । ଏଥର ଠାକୁରଙ୍କୁ ଦର୍ଶନ କରି ପେଟ ପୂଜା କରେଇନେବା । ତାଙ୍କ ଗାଁ ମୁଣ୍ଡରେ ଛୋଟ ଶିବ ମନ୍ଦିର । ଗାଁ ଲୋକ, ସ୍ତ୍ରୀ ଛୁଆ ପିଲାଙ୍କୁ ଧରି ଜଣ ଜଣ କରି ଆସୁଥାନ୍ତି ଦର୍ଶନ କରିବା ପାଇଁ | ମୁଁ ଓ ମୋ ସାଙ୍ଗ ଯାଇ ବସି ପଡିଲୁ ମନ୍ଦିର ଭିତରେ ଶିବଲିଙ୍ଗ ଆଗରେ । ଭୋକ ଆଉ କ୍ଲାନ୍ତିରେ କେମିତି କେମିତି ଲାଗୁଥାଏ । ଫୁଲ, ବେଲପତ୍ର ଭିତରେ ଶିବଲିଙ୍ଗ ଅଧାଅଧି ବୁଡି ଥାଆନ୍ତି । ମୁଣ୍ଡ ଉପରେ ଟୋପା ଟୋପା ପାଣି ପଡୁଥାଏ । ଧୂପ, ଦୀପ, ବେଲପତ୍ରର ବାସ୍ନାରେ ମନ୍ଦିରଟା ମହକୁଥାଏ । ବ୍ରାହ୍ମଣ ନନା ଗୋଟେ ଚନ୍ଦନ ପାତ୍ରରେ କିଛି ଦୁବପତ୍ର ବୁଡାଇ ଆମ ମଥାରେ ଥରେ ଲେଖା ବୋଳିଦେଲେ । କେମିତି ଗୋଟେ ଅଜଣା ଶିହରଣ ଖେଳିଗଲା ଦେହ ଆଉ ମନ ଭିତରେ । କିଛି ସମୟ ପାଇଁ ଆଖିବୁଜି, ହାତଯୋଡି ନିଶବ୍ଦରେ ସ୍ମରଣ କଲି ସେ ଅଦେଖା ସତ୍ତାକୁ । ପାଦୁକ ପାଇ ମନ୍ଦିରରୁ ବାହାରି ଆସିଲା ବେଳେ ଭୋକ ଶୋଷ ସବୁ ଯେମିତି କୁଆଡ଼େ ଉଭେଇ ଯାଇଥିଲା । ମନ କେମିତି ଗୋଟେ ହାଲକା ହାଲକା ଲାଗୁଥିଲା ।

ସେହି ଦିନଠାରୁ ଆଜିଯାଏ ପ୍ରତି ଶିବରାତ୍ରୀରେ ଉପବାସ କରି ଆସୁଛି । କିଛି ଗୋଟେ ବଡ଼ ଜିନିଷ ପାଇବାର ଆଶା ନେଇ ନୁହେଁ, ଖାଲି ବରଂ ମନ୍ଦିରର ସେହି ଅନୁଭୁତିକୁ ବାରମ୍ବାର ଅନୁଭବ କରିବା ପାଇଁ  ।

ଜୟ ଭୋଲା ଶଙ୍କର


 ଲିଙ୍ଗରାଜ ମନ୍ଦିର,  ଭୁବନେଶ୍ବର 


କପିଳାସ 

ଧବଳେଶ୍ବର ମନ୍ଦିର, କଟକ
( ଓଡିଶାର ପ୍ରମୁଖ ଶୈବକ୍ଷେତ୍ରରେ ମହାଦୀପ ଉଠିବାର ଦୃଶ୍ୟ    )

Friday, 20 February 2015

ଆମ ମାତୃଭାଷା

ରାଜା ଝିଅ, ବୁଢ଼ୀ ଅସୁରୁଣୀ,
ଅବା ଜହ୍ନ ରାଇଜ ର
ପରୀ ରାଣୀ |
ଶୁଣୁ ଶୁଣୁ କଥା ତା'ର,
ମାଣ୍ଡିଆ କିଆରୀ ତଳୁ  
ଆସିଯାଏ ନିଦ,
ଅଝଟିଆ ଶୈଶବ ମୋ
ହୋଇଯାଏ ବୋଧ ||

କେତେ ନିଜର ସେ
ମିଠା ମିଠା ଭାଷା,
ମୋ ମା' ହାତ ପରସା,
ଆମ ମାତୃଭାଷା ||



Thursday, 5 February 2015

ଗରିବ ମାନସିକତା

କଟକ ନଗର, ଧବଳ ଟଗର । ହଜାର ବର୍ଷର ସହର ଇଏ । ସଂସ୍କୃତିର ସହର.. ଭାଇଚାରାର ସହର । ବାରବାଟି ଦୁର୍ଗଠାରୁ ନେଇ ହାଇକୋର୍ଟ, ତାରକସି କାମଠୁ ନେଇ ଦହିବରା ଆଳୁଦମ, ବାଲିଯାତ୍ରାଠୁ ନେଇ ଦୁର୍ଗାପୂଜା । କଟକର ସ୍ଥାନ ସ୍ୱତନ୍ତ୍ର ଓଡ଼ିଶାରେ ।

ଏଇ କଟକର ବାଦାମବାଡି ବସଷ୍ଟାଣ୍ଡ । ସାରା ଓଡ଼ିଶାକୁ ସଂଯୋଗ କରେ ଏ ସ୍ଥାନ । କଟକକୁ ଜଣେ କେହି ଆସିବ ମାନେ, ଏ ବାଦାମବାଡି ମାଟିରେ ଥରେ ନିଶ୍ଚେ ପାଦ ପକାଇବ । ଖରାଦିନ ମଧ୍ୟାହ୍ନ ସମୟ । ଯାଜପୁରକୁ ଯିବା ପାଇଁ ବସକୁ ଅପେକ୍ଷା କରିଥାଏ ମୁଁ ବାଦାମବାଡି ବସଷ୍ଟାଣ୍ଡ ଭିତରେ । ଭାବିଲି ସାଙ୍ଗରେ ପାଣି ବଟଲଟିଏ ନେଇଯିବି । ପରିଶ୍ରା କରାଯାଉଥିବା କାନ୍ଥକୁ ଲାଗି କିଛି ଫଳ ଦୋକାନ । ସେଠାରୁ ପାଣି ବଟଲଟିଏ କିଣିଲି । ତା' ସହିତ ବାଛିଲି କିଛି ଫଳ । ସେଓ, କମଳା ଦୁଇ କେଜି ଓଜନ କରି ଦୁଇଟି ଅଲଗା କଳା ଜରିରେ ଦୋକାନି ବଢ଼ାଇ ଦେଲା ମୋ ଆଡକୁ । ବସ ଛାଡ଼ିବା ଟାଇମ ବି ହୋଇଯାଇଥାଏ । ଦୋକାନୀ ହାତକୁ ପଇସା ବଢ଼ାଇ ଦେଇ ଜରି ଦୁଇଟାକୁ ଧରି ଜଲଦି ଜଲଦି ଆସି ବସରେ ବସିଲି । ଅଧା ରାସ୍ତାରେ ଦେଖିଲି ମୁଁ ବାଛିଥିବା ଫଳ ଜାଗାରେ ଦୋକାନି ମୋତେ ଦେଇଛି ପଚାସଢା ଫଳ । ପରେ ସାଙ୍ଗମାନଙ୍କ ଠାରୁ ଜାଣିଲି ସେଇଟା ବାଦାମବାଡି ନୁହେଁ ବଦମାସ ବାଡି । ସେଠି କେହି ନା କେହି ଜୀବନରେ ଥରେ ଅଧେ ଠକି ହୋଇଛନ୍ତି ଆଉ ସେ ଜାଗାକୁ ଦୂରୁ ଜୁହାର ବି ହୋଇଛନ୍ତି ।

ଏ ହେଉଛି କଲେଜ ଦିନର ଘଟଣା । ବହୁ ବର୍ଷ ହେବ ସେ ଜାଗାକୁ ଆଉ ଯାଇନି । କାରଣ ଯିବାକୁ କେବେ ଦରକାର ପଡିନି ।

ଆଚ୍ଛା..ଏବେ ଟପିକ ଉପରକୁ ଆସିବା । ସ୍ଵାଧୀନତାର ଏତେ ବର୍ଷ ପରେ ବି ଏମିତି ଜାଗା ସବୁ ଅଛି । ସମସ୍ତେ ଜାଣନ୍ତି । ପୁଲିସ, ପ୍ରଶାସନ, ବଜାର କମିଟି.. ସମସ୍ତେ । କିନ୍ତୁ କିଛି ପରିବର୍ତ୍ତନ ହୁଏନା । ବୁର୍ଲାରେ ଯେବେ ଲୋକେ ମୋତେ ମୋ ଜିଲ୍ଲା ବିଷୟରେ ପଚାରନ୍ତି, ମୁଁ କଟକ କି ଯାଜପୁର କୁହେନା । କାରଣ କଟକିଆଙ୍କ ପ୍ରତି ଭାରି ଗୋଟେ ଭଲ ନଜର ନଥାଏ ସେଠି । ନିଜ ରାଜ୍ୟରେ ଯଦି ଏହି ଅବସ୍ଥା, ବାହାର ଲୋକଙ୍କ କଥା ନକହିବା ଭଲ ।

ବାଙ୍ଗାଲୋରର ମାଜେଷ୍ଟିକ ବସଷ୍ଟାଣ୍ଡ ଦେଖି ଚମକି ପଡିଲି ପ୍ରଥମ ଥର ପାଇଁ । ଜୀବନରେ ଜାଣିଲି ବସଷ୍ଟାଣ୍ଡ ବି ଏମିତି ଚକାଚକ ଥାଏ । ସମସ୍ତେ କହୁଛନ୍ତି ଓଡ଼ିଶା ଗରିବ ରାଜ୍ୟ । ମୁଁ ଭାବେ ଏ ହେଉଛି ଗରିବ ମାନସିକତାର ଏକ ରାଜ୍ୟ । ଜାଣେନା ସେ ଫଳ ଦୋକାନିଟି କାହିଁକି ଏମିତି କଲା । କିଛି ପଇସାର ଲୋଭ ନା କୁତ୍ସିତ ମାନସିକତା ! ଦୋଷ ଖାଲି ଫଳ ଦୋକାନିଟିର ନୁହେଁ । ଦୋଷ ଏହି ମାନସିକତାର । ସେ ଜଗନ୍ନାଥ ମନ୍ଦିରର ପବିତ୍ର ବାତାବରଣ ହେଉ ଅବା ପୂତିଗନ୍ଧମୟ ବସଷ୍ଟାଣ୍ଡ । ସେ ଆମ ରାଜ୍ୟର ଉଚ୍ଚପଦାଧିକାରି ହୁଅନ୍ତୁ ଅବା ଆମ ଉଚ୍ଚଶିକ୍ଷିତ ଅପର୍ କ୍ଲାସ । ସେ ଆମ ଫିଲ୍ମ ଜଗତ ହେଉ ଅବା ଆମ ରାଜନୈତିକ ଜଗତ । ସବୁଠି ଏହି ମାନସିକତା ।

ବ୍ଲଗଟି ନକରାତ୍ମକ ଦିଗକୁ ନେଇ ଲେଖା ଯାଇଛି । କିନ୍ତୁ ଏ ଦିଗଟିକୁ ଛାଡ଼ିବି ତ ହେବନି । ଯଦି ଆମେ ବି ଦେଖିକି ଅଣଦେଖା କରିବା, ଏସବୁ ଠିକ ହେବ କେମିତି ! ଟିକେ ଭାବି ଦେଖନ୍ତୁ ।

Wednesday, 4 February 2015

ଆତଙ୍କ

କୋକ, ପପକର୍ନ ନେଇ ବସିଲୁ ନିଜ ସିଟରେ । ମୁକେଶର ବିଜ୍ଞାପନ ଚାଲିଥାଏ ରୁପେଲି ପରଦାରେ । ଯାହାହେଉ ଫିଲ୍ମ ଆରମ୍ଭ ହୋଇନି । ମଝିଧାଡ଼ିର ମଝିବାଲା ସିଟ ଆମ ଦୁଇ ଜଣଙ୍କର । ଫିଲିମ୍ ଦେଖିବା ପୁର୍ବରୁ ବେସିକ୍ ଜିନିଷ ଗୁଡାକ ଆଗେ check କରିନେବାକୁ ପଡିବ। ଚାରିଆଡ଼େ ଟିକେ ଆଖି ବୁଲାଇ ଆଣିଲୁ । ଫଟା କପାଳ!! ସାଇଡ ସିଟରେ ମୋ ବାଁ ପାଖକୁ ବଂଗାଳୀ ଆଣ୍ଟି ଜଣେ । ମୁଁ ଚାହିଁଲି ଗଣେଷ ଆଡେ । ହତଭାଗାର ବି ସେଇ ଏକା ଅବସ୍ଥା । ମଉସା ଜଣେ ତା କଡରେ ବସିଥାନ୍ତି । ସାଂଗକୁ ଏମିତି ଅବସ୍ଥାରେ ଦେଖିଲେ ଟିକେ ଆତ୍ମସନ୍ତୋଷ ଲାଗେ । ସାମ୍ନା ସିଟ୍ ଟି ଖାଲିଥାଏ । କିଛି ସମୟ ପରେ ଆରମ୍ଭ ହୋଇଗଲା ଫିଲ୍ମ ସାର୍ଟିଫିକେଟ ସହ ।

ଏ ହେଉଛି କୋଲକାତାର କଥା । ସେତେବେଳେ 3 Idiots ରିଲିଜ୍ ହୋଇଥାଏ ଆଉ ତା ସହ ମାର୍କେଟ କୁ ନୂଆ ନୂଆ ଆସିଥାଏ Swine Flu । ପେପରରେ ନିତି ଫ୍ଲୁ ର ନିଉଜ । ଆଉ ଅଫିସ ରେ HR  ମାନଙ୍କର Awareness mail। ଆଉ ତା ସହିତ ମଝିରେ ମଝିରେ ବଜାର ରାସ୍ତାରେ ଦେଖାଯାଉଥିବା ମାସ୍କ ପିନ୍ଧା ମୁହଁ । ମୋଟାମୋଟି କହିବାକୁ ଗଲେ ରାମସେ ବ୍ରଦରଙ୍କ ପ୍ଲଟ୍ ପରି ଥିଲା ଅବସ୍ଥା ସେତେବେଳେ ।

ଆଗ ସିଟରେ ବସିଗଲେ ଯୋଡି ହଳେ ହାତ ଧରାଧରି ହୋଇ ଆସି ।
 
"ଲାଇଫକୁ ଏଇମାନେ ଶଳା Enjoy କରୁଛନ୍ତି" ଗଣେଷର ଚିରାଚରିତ ପ୍ରତିକ୍ରିୟା ।
 
"ଛାଡ ସେ କଥା.. ଆଉ ଚୁପଚାପ ଫିଲ୍ମ ଦେଖେ" ।

ଫିଲ୍ମ ଚାଲିଥାଏ | ମୋ ସିନେ-କ୍ରିଟିକ ମସ୍ତିଷ୍କ ଅନୁଶୀଳନ କରୁଥାଏ ପ୍ରତିଟି ସିନ୍ ସହ ଚେତନ ବାବୁଙ୍କ "5 ପଏଣ୍ଟ ସମଉଆନ" ପୁସ୍ତକ ।
ସିକସ୍ ..ବାଁ ପାଖ ରୁ ଆସିଲା ପୁଣି ଥରେ..ଆ.. ଆ..ସିକ୍ସ । ଆଣ୍ଟିକୁ ଥଣ୍ଡା ଧରିଗଲା ବୋଧେ ଏ.ସି.ରେ ବସି ବସି । ଛିଙ୍କ ଉପରେ ଛିଙ୍କ । ଟିକେ ଜକେଇ ଆସିଲି ଗଣେଷ ଆଡେ । ଭାଇରସଟା ଏ ଆଡକୁ ଯେମିତି ନ ଆସେ ।

ଆଗ ଧାଡିରେ ବସିଥିବା ଝିଅଟି ପଛକୁ ବୁଲି ଚାହିଁଲା । ଗୋଡ ପାଖରୁ ବ୍ୟାଗ ଉପରକୁ ଆଣିଲା । ଆଉ ଗୋଟେ ମାସ୍କ କାଢି ଲଗେଇ ଦେଲା ନିଜ ମୁହଁରେ ।

ରୁପେଲି ପରଦା ରେ ଚାଲିଥାଏ ଅମିର ଖାଁ ର ବଳାତ୍କାର ସିନ । ସାରା ହଲ୍ କମ୍ପୁଥିଲା ହସ ଆଉ ତାଳିରେ । ବଳାତ୍କାର ହେଉଥିଲା ଆମର... ଲିଟେରାଲୀ (Literally) 



Sunday, 1 February 2015

କାଳିଜାଇ

(  ଲେଖକ : ପଣ୍ଡିତ ଗୋଦାବରିଶ ମିଶ୍ର )

ଭଲ କରି ନାଆ          ବୁହା ରେ ନାଉରି
      ଝିଅକୁ ମାଡ଼ୁଛି ଡର,
ଗଡ଼େ ଗଡ଼ ଲୋକେ       ଚାହିଁ ବସିଥିବେ
       ଝିଅ ଯିବ ଶାଶୂଘର ||

ଭଲ କରି ନାଆ              ବାହୁଛି ନାଉରି
        ତଲେଇ କରିଛି ଠିଆ,
ମାମୁଁ ଭଣଜା ର             କୋଣରୁ ଆସେ ଲୋ
       ବହି ସୁଲୁସୁଲୁ ବାଆ ||

ଦିନ ଦଶଘଡ଼ି              ହେଲାଣିଟି ଆସି
        ଖରା ମାରେ ଚାଇଁ ଚାଇଁ,
ପାଞ୍ଚ କୋଶ ବାଟ             ଯିବାକୁ ଅଛି ଲୋ
        ବେଳ ତ ପାଇବ ନାହିଁ ||

ନାଉରି ବାପୁଡ଼ା             କାତ ମାରୁଅଛି
         ଉଦାସେ ଗାଉଛି ଗୀତ,
ନାଆ ଉଡ଼ିଯାଏ               ପବନ ପ୍ରାୟେ ଲୋ
        ଜଣା ନ ପଡ଼ଇ ବାଟ ||

ମାଆ ଭଉଣୀଙ୍କୁ           ସାଥୀ ସଙ୍ଗାତଙ୍କୁ
       ଝିଅ ଯେ ଆସିଛି ଛାଡ଼ି,
ନାଆରେ ବସି ସେ               ତାଙ୍କରି କଥା ଲୋ
       ହୁଏ ନିରନ୍ତରେ ଭାଳି ||

ମାଆ ଭଉଣୀଏ,                 ସାଥୀ ସଙ୍ଗାତେ ସେ
      ରହିଲେ ଦୂରସ୍ଥେ କାହିଁ,
ପରତେ ନୋହୁଛି                ଆଉ କି ଦିନେ ଲୋ
      ଫେରି ସେ ଦେଖିବ ଯାଇ !

ନାଆ ଚାଲିଅଛି              ପବନ ସମାନେ
     ମୁହୂର୍ତ୍ତେ ନ ହୁଏ ଥୟ,
ଚିହ୍ନା ଯେତେ ତାର             ବଣ ପାହାଡ଼ ଲୋ
      ଅନାଇ ଦେଖନ୍ତା ଝିଅ ||

ଘଣ୍ଟଶିଳା ଶିଖେ               ଚାହିଁ ସେ କହନ୍ତା
     ଦିଅରେ ମେଲାଣି ମୋତେ,
ଭେଟ ଆଉ ଦିନେ             ନୋହିବ ଜୀବନେ
     ଯାଉଛି ଘୋର ବନସ୍ତେ ||

ଶାଳିଆ ନଈ ତା’              ନିତିଦିନ ସାଥୀ
      ସୁଖେ ସେ ବୁଲଇ କୂଳେ,
ବେଳେ ସୁଏ ତା’ର             ସ୍ନାହାନ ସାରି ଲୋ
      ହସି ଲେଉଟଇ ଘରେ ||

କାଳି ଅନ୍ଧାରୁଁ ସେ                 ଚାଲି ଯେ ଅଇଲା
        ଦେଖି ତ ନାହିଁଛି ତାକୁ,
ଭାରି ଖ୍ୟାତ ନଈ,            ନାଆଁଟି ତା’ର ଲୋ
      ତିନି କୋଡ଼ି କୋଶେ ଡାକୁ ||

ମାଆ ଭଗବତୀ               ପୀଠ କୂଳେ ତା’ର
       ଜଗତତାରିଣୀ ନାଆଁ,
ଡାକି କହିଥାନ୍ତି,             ନୋହିଲାଆଉ ଲୋ
      ସାହା ମୋ ଥିବୁଟି ମାଆ ||

ନାଆ ଆସି ହେଲା              ଦଣ୍ଡକେ ପ୍ରବେଶ
    ଚଢ଼େଇହଗା ପାହାଡ଼େ,
ଘଣ୍ଟଶିଳା ଆଉ           ନ ଦିଶେ, ଲୁଚି ଲୋ
     ରହିଲା ଶାଳିଆ ଦୂରେ ||

ଚାହୁଁ ଚାହୁଁ ଆସି                 ଛୁଇଁଲାତ ନାଆ
      ଗଣ୍ଡ ତଡ଼ କଳା ପାଣି,
ଝରେ ଝିଅ ଦୁଇ                ଆଖିରୁ ଲୁହ ଲୋ
      ତିନ୍ତେ ପିନ୍ଧା ଛିଟ କାନି ||

ପାରିକୁଦ ବୋଲି              ରାଇଜ ପୁଣି ସେ
       ଚିଲିକା ମଝିରେ କାହିଁ,
କେମନ୍ତେ ମୂର୍ଛିଲ              ଝିଅକୁ ବାପା ହେ
      ଏତେ ଦୂରେ ଦେବା ପାଇଁ ?

ବର ବୋଲି ଯାର             ଧରାଇଲ ହାତ
       କି ତା’ର ଦେଖିଲ ଶିରୀ ?
ରୂପ ବିଦ୍ୟା ଆଉ              ବିଭବ ବାପା ହେ
       ତିହ୍ନିଏ ତିହ୍ନିକି ବଳି ||

ମହୀମଣ୍ଡଳେ ତ                 ନଥିବ କେ କାହିଁ
     ମୋ ଭଳି ନିରେଖ ଜନ,
ଏ ମହାସମୁଦ୍ର                   ମଝିରେ ବାପା ହେ
     କେମନ୍ତେ ବଞ୍ଚିବି ଦିନ ?

ଏଡ଼େ ହୀନିମାନ                କରିବାକୁ ଯେବେ
     ମନରେ ଥିଲା ବିଚାର,
ଏନ୍ତୁଡ଼ିଶାଳେ ଟି            କି ପାଇଁ ବାପା ହେ
     ତଣ୍ଟି ଚିପି ନ ମାରିଲ ?

ଝିଅକୁ ନିଶ୍ଚିନ୍ତେ                  ଦେଇଛ ପଠାଇ
     ବନସ୍ତ କୁ ଜାଣୁ ଜାଣୁ,
କପାଳ ଆଦରି                 ଯାଉଛି, ବୋଉ ଲୋ,
      ପାସୋରି ନ ଦେବୁ ମନୁଁ ||

ନାଆ ଉଡ଼ିଯାଏ                  ପବନ ସମାନେ
     ନାହିଁ କ୍ଷଣେ ହୁଏ ଥୟ,
ଝିଅ ବସିଅଛି                   ତୁନିଟି ହୋଇ ଲୋ
      ନେତ୍ରୁ ବୋହିଯାଏ ଲୁହ ||

ନାଆ ଚାଲିଅଛି                 ପବନ ସମାନେ
      ନ ମାନେ ପାଣି ପଥର,
ତୁନି ହୁଅ ଜାଇ                  ନ କାନ୍ଦ ଆଉ ଲୋ
        ଏଇ ଦିଶିଲାଣି ଗଡ଼ ||

ଏତେ ବୋଲି ବାପା                 ଝିଅ ର ଆଖିରୁ
        ଦେଲେ ଲୁହଧାର ପୋଛି,
ଯେତେ ପରି ତାକୁ                ବୁଝାନ୍ତି ବସି ଲୋ,
       ଜାଇ ବୁଝୁ ନାହିଁ କିଛି ||

‘ଭଲ କରି ନାଆ               ବୁହା ରେ ନାଉରି
       ଝିଅକୁ ମାଡ଼ୁଛି ଡର,
ଏତେ କାଳେ ଜାଇ              ନାଆରେ ବସିଛି
      ଯିବ ବୋଲି ଶାଶୂ ଘର ||

ଭଲ କରି ନାଆ               ବାହୁଛି ନାଉରି,
     ଭିଡ଼ି ମାରୁଅଛି କାତ,
ସୁଲୁ ସୁଲୁ ବାଆ             ବୋହି ଆସୁଛି ଲୋ
    ଜଣା ନ ପଡ଼ଇ ବାଟ ||

ନାଆ ଭାସି ଆସି              ଦଣ୍ଡକ ଭିତରେ
     ମଝି ଗଣ୍ଡେ ହେଲା ଯାଇ,
ଥିର ହୋଇ ହେଲା               ନାଉରି ଠିଆ ଲୋ
      କାତ ଆଉ ପାଉ ନାହିଁ ||

ଭାଲେରି-ଶିଖାରୁ                 କଳା ମେଘ ଖଣ୍ଡେ
     ଉଠେଇ ଆସିଲା କାହୁଁ,
ଲୁଚିଗଲେ ତହିଁ                  ସୂର୍ଯ୍ୟ ଦେବତା ଲୋ
     ଖରା ନପଡ଼ଇ ଆଉ ||

ମାଡ଼ି ଆସୁଅଛି                ଅତି ବେଗେ ମେଘ
     ଜଟିଆ ନାସିକ ଧରି,
ବରଷା ବତାଷି                 ଗରଜୁ ଅଛି ଲୋ
     ଦିନ ଦିଶେ ରାତି ପରି ||

ନାଆ ପଡ଼ିଅଛି                 ମଝି ଗଣ୍ଡେ ଆସି,
    ବୁଡ଼ିଯିବ ହାତୀ ଛତି,
ଟଳମଳ ହୋଇ                 ଟଳୁଛି ନାଆ ଲୋ,
     ନାଉରିର ବଡ଼ ଭୀତି ||

‘ଭଲ କରି ବେଗେ               ବୁହାରେ ନାଉରି
     ନାଆ ହେଲା ଟଳମଳ,
ବରଷା ବତାଷି                   ଗରଜି ଆସୁଛି,
    ଝିଅକୁ ମାଡ଼ୁଛି ଡର ||

ବରଷା ବତାଷି                  ଗରଜି ଆସିଲା
     ନାଆ ନୁହେଁ ଥୟ କରି,
ଏକା ପବନକେ                  ପାହାଡ଼େ ଯାଇ ଲୋ
       ପିଟି ହୋଇଗଲା ଚୂରି ||

ମେଘ ଚାଲିଗଲା                ମେଘର ବାଟେ ସେ
      ବତାସି ହୋଇଲା ଥିର,
ପଡ଼ିଗଲା ଖରା                ନିର୍ମଳହୋଇ ଲୋ
      ପାଣି ହୁଏ କଳ କଳ ||

ବାପା ପଚାରନ୍ତି                ଖୋଜି ନାଉରିରେ
     ଝିଅ ମୋର ଗଲା କାହିଁ,
ବୁଜି ଆଖି ଠିଆ                 ନାଉରି ନିଜେ ଲୋ
     ତୁଣ୍ଡ ତା’ ଫିଟଇ ନାହିଁ ||

ଚିଲିକା ପାଣିରେ            ଦୋଳୁଛି ଲହରୀ,
    ବୋହୁଛି ଶୀତଳ ବାଆ,
ସୋରି ସୋରି ଖରା             ଜଳି ଯାଉଛି ଲୋ,
     ଖେଳୁଛି ସହସ୍ର ନାଆ ||

ପାହାଡ଼ ଚଢ଼େଇ                 ଉଡ଼ୁଅଛି ରାବି
     ମନେ କି ଅଛି ତା’ ଧୋକା,
ପାଣି ତଳେ ଛାଇ                ବୁଲି ଯାଉଛି ଲୋ
     ଜାଇଟି ନାହିଁକି ଏକା ||

ବାପା ଫେରି ଆସି               ବୋଉଙ୍କ ଆଗରେ
    କଥା ନ ପାରନ୍ତି କହି,
ଆର ଦିନ ପୁଣି                 ନାଉରି ଗଲା ଲୋ
    ନାଆ ସେହି ବାଟେ ବାହି ||

କେତେ ଶ ବରଷ               ହେଲାଣି ସେଦିନୁଁ
      ଗଣି କି କହିବ କିଏ
ନାହିଁ କିଛି ଆଉ              ସେକାଳ କଥା ଲୋ
    ଜାଇ ରହିଅଛି ଜୀଏ ||

ବାଲୁଁ ଗାଆଁ କୂଳୁଁ              ନାଆ ଗଲାବେଳେ
    ପାରିକୁଦ ଗଡ଼ଠାକୁ,
ପାହାଡ଼ ସମୀପେ                 ମଣିଷ ତୁଣ୍ଡଲୋ,
     ଶୁଣାଯାଏ କାହାକୁ ?

ବରଷା ବତାଷି                  ଚିଲିକାରେ ଆଉ
    ହୁଏ ନାହିଁ ତେଡ଼େ ଭଳି,
ଆପଦେ ବିପଦେ                 ଜଣା ପଡ଼ଇ ଲୋ
     ସାହା କିଏ ଥିଲା ପରି ||

ନାଉରି କେଉଟ                  ପାହାଡ଼ ବାଟେ ତା’
     ନାଆ ନେଇ ଗଲାବେଳେ,
କାମେ ଆପଣାର                    ଶୁଭ ମନାସି ଲୋ
    ଜୁହାର କରଇ ଥରେ ||

ତୋଳିଲେ ପାହାଡ଼         ଶିଖେ କାଳେ ଭକ୍ତେ
       ସୁନ୍ଦର ଦେଉଳଟିଏ,
ସେ ଦେଉଳେ ପୁଣି               ସମୁଦ୍ରେ ସତେ ଲୋ,
     ରହିବ ଦେବତା କିଏ  ||

ସୂର୍ଯ୍ୟ ବୁଡ଼ିଗଲେ,               ନିଶବ୍ଦ ଯେବେ
      ହୁଏ ସବୁ ସଞ୍ଜବେଳେ,
ଏକାହୋଇ ଜାଇ,            ଲୋକେ କହନ୍ତି ଲୋ
     ବୁଲୁ ଯେ ଥାଏ ପାହାଡ଼େ ||

ନେତ୍ରୁଁ ବୋହୁଥାଏ                ଲୁହ ଦୁଇ ଧାର
    ଶୁଖି ଯାଇଥାଏ ମୁହଁ,
ହେଲେ ଠାରି ହାତ               କାନ୍ଦି କାହାକୁ ଲୋ
     ନିବର୍ତ୍ତାଇ କରେ ଥୟ ||

ସେ ଯୋଗେ ନୋହୁଛି              କାଳିଜାଇ ଗଣ୍ଡେ
      ଏଡ଼େ ଆଉ ଝଡ଼ ବାଆ,
ତହିଁ ବୁଡ଼ିବାର                   ଶୁଣା ନ ଯାଏ ଲୋ
    ଯହିଁ ଯେତେ ବୁଡ଼ୁ ନାଆ ||

କାଳିଜାଇ ବଡ଼                 ପ୍ରତ୍ୟକ୍ଷ ଦେବତା
    କୋଟି କୋଟି ଦଣ୍ଡବତ,
ପାହାଡ଼ର ନାଆଁ             ରାଇଜେ ଖ୍ୟାତ ଲୋ
      କାଳିଜାଇ ପରବତ ||

******     ******    *******