କୁନି ଝିଅଟିଏ । ନାଁ ତାର ସାନା । ସାନା ଦିନେ ବାପାଙ୍କ ସହ ମେଳାକୁ ବୁଲି ଯାଇଥିଲା । ମେଳାରେ କେତେ ପ୍ରକାରର ଖେଳଣା, ରଙ୍ଗ ବେରଙ୍ଗର ବେଲୁନ ଓ ନାନା ରକମର ମିଠା ବିକ୍ରି ହେଉଥିଲା । ଟିକେ ଆଗରେ ଲୋକଟିଏ ବସି ବିକ୍ରି କରୁଥିଲା ଫୁଲଗଛ ଓ ଫୁଲ ଚାରା । ସାନା ଟିକେ ଅଟକି ଫୁଲ ସବୁକୁ ଦେଖିଲା । ଲୋକଟି ସାନା ହାତକୁ ମଞ୍ଜିଟିଏ ବଢ଼େଇ ଦେଲା । ସାନା ତା ପାଖରୁ ମଞ୍ଜିଟି ଆଣି ମନ ଖୁସିରେ ଘରକୁ ଫେରିଲା ।
ସାନାର ଘର ସାମନାରେ ପଡିଆଟିଏ । ସାନା ପଡିଆର ଗୋଟେ କଣରେ ଟିକେ ମାଟି ଖୋଳି ମଞ୍ଜି ପୋତିଦେଲା । ଘରୁ ପାଣି ଆଣି ସେଠି ଦେଲା । କିଛି ଦିନ ପରେ ମଞ୍ଜିରୁ ଗଜା ହୋଇ ପତ୍ର ବାହାରିଲା । ସାନା ସବୁଦିନ କୁନି ଗଛଟି ମୂଳରେ ପାଣି ଦେଉଥିଲା । ଗଛଟି ବଡ଼ ହେଲା । ସେଥିରେ ଦୁଇଟା ପତ୍ର, ଦୁଇଟା କଢ଼ ଓ ଗୋଟେ ଫୁଲ ହେଲା । ସାନାର ସାଙ୍ଗ ଓ ଅନ୍ୟ ପିଲାମାନେ ଆସି ସେ ଫୁଲଗଛକୁ ଦେଖିଲେ । ସେହି ସମୟରେ ଜଣେ ଜୋକର ଆସି ପହଞ୍ଚିଲା । ଜୋକରଟି ରଙ୍ଗୀନ ସାର୍ଟ, ନାଲି ପ୍ୟାଣ୍ଟ ଓ ନାଲି ଟୋପି ପିନ୍ଧିଥିଲା । ସବୁ ପିଲା ଜୋକରକୁ ନଦେଖି ଫୁଲଗଛକୁ ଦେଖିଲେ । ଜୋକର ମନ ଦୁଃଖ କରି ସେଠାରୁ ଚାଲିଗଲା ।
ତାପରେ ସବୁ ପିଲାମାନେ ଫୁଲଗଛଟିର ଯତ୍ନ ନେଲେ । ଗଛ ମୂଳରୁ ଅନାବନା ଘାସ ଲତା ଉପାଡି ଦେଲେ । ଗଛ ମୂଳରେ ପାଣି ଦେଲେ ।
ଏବେ ସେ ଗଛଟି ବଡ଼ ହୋଇଗଲାଣି । ସେଥିରେ ଏବେ ଦୁଇଟା ପତ୍ର ଓ ତିନିଟା ଫୁଲ ଫୁଟିଛି । ସବୁ ପିଲାମାନେ ଫୁଲଗଛକୁ ଦେଖି ଖୁସି ହେଉଛନ୍ତି ।
-0-
ଲେଖା ଓ ଚିତ୍ର : Archisa Swain (5 yrs)

No comments:
Post a Comment