Monday, 3 July 2017

ଓଡ଼ିଆରେ ବ୍ଲଗ

କିଛିବର୍ଷ ତଳେ ସ୍ୱାସ୍ଥ୍ୟ ସଚେତନତା ଉପରେ ବିଜ୍ଞାପନଟିଏ ଟିଭିରେ ଆସୁଥିଲା । ଜଣେ ବ୍ୟକ୍ତି ନିଜ ପାଖରେ ବସିଥିବା ଅନ୍ୟ ଜଣେ ଅପରିଚିତ ବ୍ୟକ୍ତିଙ୍କୁ କୌଣସି ଏକ ରୋଗର କାରଣ ଓ ନିରାକରଣ ଉପରେ କିଛି ଶୁଣାଉଥିଲେ । ବ୍ୟକ୍ତିଙ୍କର କଥା ସରିଲା ପରେ ଶୁଣୁଥିବା ଅପରିଚିତ ବ୍ୟକ୍ତି ଜଣକ ପ୍ରଶ୍ନ କଲେ,
"ସବୁ ଠିକ ଯେ, ହେଲେ ଆପଣ ଏସବୁ ମୋତେ କାହିଁକି କହୁଛନ୍ତି? ମୁଁ ଜାଣିଛି ଏସବୁ କଥା ।"
ଉତ୍ତରରେ ବ୍ୟକ୍ତି ଜଣକ ଅଳ୍ପ ହସି କହିଲେ, "କାରଣ ଆପଣ ମୋ ଭଳି ଏସବୁ କଥା ଆଉ କାହାକୁ ଶୁଣେଇ ପାରିବେ ।"

2011ରେ କୋଲକାତାରୁ ହାଇଦ୍ରାବାଦ ଆସିଲା ପରେ ସାଙ୍ଗସାଥି ଗ୍ରୁପଟା ପଛରେ ରହିଗଲା । ସେତେବେଳେ ଫାଙ୍କା ସମୟରେ ଇଣ୍ଟରନେଟରୁ ଓଡ଼ିଆ ବହି କି ଲେଖା ଖଣ୍ଡେ ମୁଁ ବହୁତ ଖୋଜେ ପଢିବା ପାଇଁ । ହେଲେ ସେମିତି ଆଖିଦୃଶିଆ କିଛି ମିଳେନି । ଥରେ ଇଣ୍ଟରନେଟରେ କିଛି ଗୋଟେ ବିଷୟରେ ଖୋଜୁ ଖୋଜୁ ହଠାତ ହୃଷିକେଶ (@hmcs_hcu) ସାରଙ୍କ ଓଡ଼ିଆ ବ୍ଲଗ ଉପରେ ଆଖି ପଡିଲା । ବ୍ଲଗର ନାଁ, "ମୋ କଥା" । ଓଡ଼ିଆରେ ବୋଧେ ପ୍ରଥମ ଥର ପାଇଁ ଏମିତି ବ୍ଲଗଟିଏ ଦେଖିଲି । ଶାରଳା ମହାଭାରତରୁ ନେଇ ଢଗ ଢମାଳି, ଗାମୁଛାରୁ ନେଇ ପୋଡପିଠା ଯାଏ ଅନେକ କିଛି ଲେଖିଥିଲେ ସେ ସେଇ ବ୍ଲଗରେ । କଲେଜ ସମୟରୁ ମୋର କିଛି ନା କିଛି ଲେଖିବାର ଅଭ୍ୟାସ ଥିଲା । ଯେତେବେଳେ ବି ସମୟ ପାଏ, ଡାଏରୀରେ କିଛି ନା କିଛି ଅନାବନା ଗାରେଇ ପକାଏ । ହୃଷିକେଶ ସାରଙ୍କ ବ୍ଲଗକୁ ପଢିଲା ପରେ ଇଣ୍ଟରନେଟରେ ତାଙ୍କ ଭଳି ଗୋଟେ ବ୍ଲଗ ପେଜ୍ କରି ଲେଖିବାକୁ ମନ ହେଲା ।

ଏବେ ଦୁଇ ତିନୋଟି ବ୍ଲଗ ପେଜ୍ ରେ ଲେଖୁଛି ମୁଁ । ଯଦିଓ ରେଗୁଲାର ଲେଖି ହେଉନି ତଥାପି କାଁ ଭାଁ କେମିତି ମୁଡ୍ ହେଲେ ଲେଖେ । ଓଡ଼ିଆ ଅକ୍ଷର ପାଇଁ ଗୁଗୁଲ ଇନପୁଟ ଟୁଲସ (https://www.google.com/inputtools/try/) ବ୍ୟବହାର କରି ଲେଖେ ଏସବୁ । ଟିକେ କଷ୍ଟକର ବ୍ୟାପାର ଏଇଟା । ଗୋଟେ ପାରାଗ୍ରାଫ ଲେଖି ସାରିଲା ପରେ ତାକୁ ନେଇ ବ୍ଲଗ ପେଜ୍ ରେ ପେଷ୍ଟ କର । ଅନେକ ସମୟରେ ଅଧାରୁ ମୁଡ୍ ଭାଙ୍ଗିଯାଏ । ଶେଷରେ ଏତେ କଷ୍ଟରେ ଲେଖିଲେ ବି ବେଶୀ କିଛି ପାଠକୀୟ response ମିଳେନା । ଏହାର ମଧ୍ୟ ଦୁଇଟା କାରଣ ହୋଇପାରେ । ଅନେକ ବ୍ୟକ୍ତି ଇଣ୍ଟରନେଟରେ external ଲିଙ୍କଟିଏରେ କ୍ଲିକ କରି ପଢିବାକୁ ଭଲ ପାଆନ୍ତିନି ଓ ଦ୍ୱିତୀୟଟି ହେଲା, ସମୟର ଅଭାବ । ତୃତୀୟ କାରଣଟି ଲେଖାର ମାନ ହୋଇପାରେ । କିନ୍ତୁ ସେଇଟାକୁ ମୁଁ ignore କରୁଛି କାରଣ ପାଠକ ଜଣେ ବ୍ଲଗର ଲିଙ୍କ ଉପରେ କ୍ଲିକ କରି ଦୁଇ ଚାରି ଧାଡି ପଢି ସାରିଲା ପରେ ସିନା ଜାଣିବ, ଲେଖାଟି ଭଲ କି ଖରାପ ।

ସେ ଯାହାବି କାରଣ ହେଉ, ମୋର କିନ୍ତୁ ମନେପଡେ ସେ ଟିଭି ବିଜ୍ଞାପନର କଥା । ଯେବେବି ଲେଖିବାକୁ ମନ ହେଉଛି, ଲେଖି ଚାଲ । କେହି ତ ଜଣେ କେବେ ତୁମ ବ୍ଲଗରୁ ଉତ୍ସାହିତ ହୋଇ ନିଜେ ଓଡ଼ିଆରେ ବ୍ଲଗଟିଏ ଲେଖିବ । ଯେମିତି ମୁଁ ଥରେ ପ୍ରେରଣା ପାଇଥିଲି ହୃଷିକେଶ ସାରଙ୍କ ବ୍ଲଗରୁ :)

4 comments:

  1. ମୁଁ ବି ସେମିତି ଲେଖେ, ଆଉ କିଏ ଲେଖା ପଢ଼ୁ କି ନ ପଢ଼ୁ ମୁଁ ଦେଖେନି ।
    ହଁ ଲେଖିଲେ, ଭୁଲ ହେଲେ ଅଧିକ ଜାଣିବି ।
    କେବେ କେବେ କେହି ଲେଖା ପଢି ପ୍ରସଂଶା କଲେ ଭଲ ବି ଲାଗେ ।
    ତଥାପି ଏଇଟା ସତ, ମଣିଷ ଧୀରେ ଧୀରେ ଶିଖେ ।

    ଆପଣଙ୍କ ଲେଖା ବି ବହୁତ ବଢ଼ିଆ।

    ReplyDelete
  2. Goood one Saswat ...lekhi chale....

    ReplyDelete