Friday, 14 June 2019

ରଜ ଦୋଳି ଗୀତ

Raja Parba (ରଜ ପର୍ବ) 

ବନସ୍ତେ ଡାକିଲା ଗଜ
ବରଷକେ ଥରେ ଆସିଛି ରଜ,
ଆସିଛି ରଜ ଲୋ
ଘେନି ନୂଆ ସଜବାଜ ।

ରାଶିରୁ ଛାଡ଼ିଲା ଚୋପା
ଗୋଡ଼ରେ ନାଇଛୁ ସରୁ ଅଳତା,
ନାଇଛୁ ସରୁ ଅଳତା ଲୋ
ମଥାରେ ସିନ୍ଦୂର ଟୋପା ।

ଉଡ଼ିଲା ଶୁଆ ନାହାକା
ଦୋଳିଟା କାହିଁକି ଲାଗୁଛି ଏକା,
ଲାଗୁଛି ଏକା ଲୋ
କାହା ବିନା ଏକା ଏକା ।

ପାଚିଲା ଭଇଁଚ କୋଳି
ବେକରେ ନାଇଚି ଗଜରା ମାଳି,
ଗଜରା ମାଳି ଲୋ
ଝୁଲାଅ ରଜର ଦୋଳି ।

ପଣସ ପାଚିଲା ବନେ
ବନ ପୋଡ଼ିଗଲେ ଦୁନିଆ ଜାଣେ,
ଦୁନିଆ ଜାଣେ ଲୋ
ମନକଥା କିଏ ଜାଣେ ।

ଶଙ୍ଖ ମଲମଲ ଗିନା
ଦରଦ ଜାଣେଲୋ ଦରଦୀ ସିନା,
ଦରଦୀ ସିନା ଲୋ
ବଣିଆ ଚିହ୍ନେଟି ସୁନା ।

ନିମ୍ବର ବୁକେ ଚନ୍ଦନ
ଦେବତା ଗଢ଼ାଇଲା ନାରୀ ଜୀବନ,
ନାରୀ ଜୀବନ ଲୋ
ଦେଲା ତହିଁ ଯଉବନ ।

ଢମଣା ଛାଡ଼ିଲା କାତି
ପୁରୁଷ ସିନାଲୋ ଭ୍ରମର ଜାତି,
ଭ୍ରମର ଜାତି ଲୋ
ନୂଆ ଖୋଜୁଥାନ୍ତି ନିତି ।

ଚାନ୍ଦରେ କଳଙ୍କ ଚିହ୍ନ
ନବ ଯଉବନି କିଆଁ ଗୁମାନ,
କିଆଁ ଗୁମାନ ଲୋ
ଆସିଲେଣି ଜୀବ ଧନ ।

ପୋଖରୀ ତୁଠ ପଥର
ତତେ ଦେଖିଥିଲି ବାଲି ବନ୍ଧରେ,
ବାଲି ବନ୍ଧରେ ଲୋ
ଆଖି ଥିଲା ଏଣେ ତୋର ।

ସାହାଡ଼ା ଗଛର ଛାଇ
ସେଦିନ କଥାକି ତୋ ମନେ ନାଇଁ,
ମନେ ନାଇଁ ଲୋ
ଏତେ ଆନମନା କାହିଁପାଇଁ ।

ଖୋସାରେ ଖୋସିଲି ଫୁଲ
କେତେ ଦେଖାଉଛୁ ନୁଖୁରା ଗେଲ,
ନୁଖୁରା ଗେଲ ରେ
ଭାଙ୍ଗି ଦେବି ତୋର ଗାଲ ।

ନଈର ଶୁଖିଲା ବାଲି
କେତେ ଫୁଲି ହେଉ ପୁଚୁକିଗାଲି,
ହେଉ ପୁଚୁକିଗାଲି ଲୋ
ଦେଖାଉଛୁ କେତେ ବେଲି ।

ବାଜିଲା ତେଲିଙ୍ଗି ବାଜା
ରସିକ ଯେ ଜାଣେ ସ୍ନେହର ମଜା,
ସ୍ନେହର ମଜା ରେ
ସେ ସିନା ମୋମନ ରଜା ।

ଲୁଚିଗଲା ମେଘେ ଚାନ୍ଦ
ଦୋଳି କଟକଟ କରେ ଶବଦ,
କରେ ଶବଦ ଲୋ
ବହନ୍ତେ ପବନ ମନ୍ଦ ।

ଦୋଳି ହୁଏ କଟକଟ
ମୋ ଭାଇ ମୁଣ୍ଡରେ ସୁନା ମୁକୁଟ,
ସୁନା ମୁକୁଟ ଲୋ
ଦିଶୁଥାଏ ଝଟଝଟ ।

ପରବତେ ଜଳେ ନିଆଁ
ପହଞ୍ଚାଇ ଦୋଳି ତେଣେ ନ ଚାହାଁ,
ତେଣେ ନ ଚାହାଁ ଲୋ
ପୁଣି ହେବ ବାଆଁ ଡାଁ ।

ଉତୁରି ପଡ଼ିଲା ଦୁଧ
ଉଙ୍କି ମାରି ମାରି ଅନାଉ ଥାଏ,
ଅନାଉ ଥାଏ ଲୋ
ନନ୍ଦର ଉଦିଆ ଚାନ୍ଦ ।

ଛତରା ବଜାର ହାଟ
ଛକି ବସିଥିବ ଚଗଲା କାହ୍ନୁ,
ଚଗଲା କାହ୍ନୁ ଲୋ
ଛନ୍ଦରେ ମାଗିବ ଘାଟ ।

ଥୋଡ଼ମଞ୍ଜା କଲି ରାଇ
କଣ ନ କଲେ କଳା କହ୍ନାଇ,
କଳା କହ୍ନାଇ ଲୋ
ମୁହଁକୁ ଯା ନ ଅନାଇ ।

କରମଙ୍ଗା କଲି ରାଇ
ମଥୁରାକୁ ଗଲେ କଳା କହ୍ନାଇ,
କଳା କହ୍ନାଇ ଲୋ
କଣ୍ଟ ଦେଇ ଗଲେ କାହିଁ ।

ସାଉଁଟିଲି ବିଲ ଘଷି
କିମ୍ପାଇଁ ରାଧିକା ବସିଲା ରୁଷି,
ବସିଲା ରୁଷି ଲୋ
ଫୁଲ ଶେଜ ହେଲା ବାସି ।

କଟକଟ ହୁଏ ଦୋଳି
ଭାଉଜଙ୍କ ମନ ଯାଇଛି ଜଳି,
ଯାଇଛି ଜଳି ଲୋ
ଭାଇ ବିଦେଶୁ ନଇଁଲେ ବୋଲି ।

ଗରଜେ କଳା ବଉଦ
ମୋତେ ତ ବରଷ ହେଲା ଚଉଦ,
ହେଲା ଚଉଦ ଲୋ
ଗଲାଣି ପିଲା ସୁଆଦ ।

ବଇଁଶୀ ବାଜିଲା କୁଞ୍ଜେ
ବଡ଼କଥା ବଡ଼ ଲୋକଙ୍କୁ ସାଜେ,
ଲୋକଙ୍କୁ ସାଜେ ଲୋ
ଛୋଟ କଲେ ଛାଟ ବାଜେ ।

ଲାଞ୍ଜ ଟେକିଗଲା ବାଘ
ନଇଁ ଚାଲୁଥିବ ବଡ଼ଙ୍କ ଆଗେ।
ବଡ଼ଙ୍କ ଆଗେ ଲୋ
ଲାଗିବ ନାହିଁଟି ଦାଗ ।

ଛତୁ ଫୁଟେ ବରଷାରେ
ଛତରାଟା କେତେ ଛଇ ଦେଖାଉ,
ଛଇ ଦେଖାଉ ରେ
ଅଛି କି ତୋ ଭରଷାରେ ।

କରଡ଼ି ଖସିଲା ଆମ୍ବ
ପର କାହୁଁ ଘର ପରାଣୀ ହେବେ,
ପରାଣୀ ହେବେ ରେ
ମନ ଜାଣି ଖଞ୍ଜି ଦେବ ।

ବିରାଡ଼ି ଛିଙ୍କିଲା ବଣେ
ଆଗରେ ଯାଉଛି ନାଗର ଜଣେ
ନାଗର ଜଣେ ଲୋ
ମୁଣ୍ଡି ଝାଡୁ ଖାଲି ପଣେ ।

ଅଦିନେ ପଣସ ସିଠା
ବଚନରେ ଯାର ନଥାଏ ମିଠା,
ନଥାଏ ମିଠା ଲୋ
ସେଟା ବାଡ଼ ପକା କଣ୍ଟା ।

ପାହାନ୍ତି ରାବିଲେ ପେଚା
ଯିଏ ହୋଇଥିବ ସିଂହର ବଚା,
ସିଂହର ବଚା ଲୋ
ନ ଦେବ ସେ ପଛଘୁଞ୍ଚା ।

ମଇଁଷି ଶିଙ୍ଗରେ ଖସା
ମଉସା ପୁଆଟା ଏଡେ ସହସା,
ଏଡେ ସହସା ଲୋ
ମତେ କଲା ଲୋକହସା ।

ଜାରା ମାରିଦେଲା ବାଣ
ଯାହାଠାରେ ଯାର ମିଶିଛି ମନ,
ମିଶିଛି ମନ ଲୋ
ସେହି ଜାଣେ ତାର ଗୁଣ ।

କାଟି ଗଲି କଳାଦୁବ
ଝିଅ ଜନମରେ ଏତିକି ଲାଭ,
ଏତିକି ଲାଭ ଲୋ
ବନ୍ଧୁ ଘର ଅରଜିବ ।

କାଳୀଗାଈ ଦୁଧ ଖିରି,
ନୂଆ ପୀରତିରେ ମଉଜ ଭାରି,
ମଉଜ ଭାରି ଗୋ
ପୁରୁଣାଟି ନିମ୍ବ ପରି ।

ଆମ୍ବ ପତ୍ର ଗହଳିଆ
ପ୍ରୀତି ପଙ୍କେ ତୁହି ହେବୁ ଗୋଳିଆ,
ହେବୁ ଗୋଳିଆଲୋ
ତୋଫା ହେବଟି ଧୁଳିଆ ।

ଥିରି ଥିରି ଚାଲେ ହାତୀ
ଥୟ ନ ହେଉଛି କିମ୍ପା ଏ ଛାତି,
କିମ୍ପା ଏ ଛାତି ଲୋ
ଥକା ଦୋଳି ହେଲା ରାତି ।

ଦୋଳି ତଳ ଯାକ ପାଣି 
ଶାଶୁ ଗାଳିଦେଲେ ମରମହାଣି 
ମରମ ହାଣି ଲୋ
ନଣନ୍ଦେଇ କାଳିକାନୀ

ଘରର ଉପରେ ଘର 
ସୁନା ଖମ୍ବ ପରି ଚାରି ଦିଅର 
ଚାରି ଦିଅର ଲୋ 
ଚନ୍ଦର ଉଦିଆ ବର

(ରଜ ଦୋଳି ଗୀତ । Collected from Social Media) 

No comments:

Post a Comment