Sunday, 3 April 2016

ପେପର ବାଲା

ଆରେ ଇଏ ତ ପେପର ବାଲାର ଫୋଟୋ !!

କିଏ ଯେମିତି ପିଲାଦିନର ସ୍ମୃତି ସବୁ ହଠାତ ଉଖୁରେଇ ଦେଲା । ଫେସବୁକରେ ଗାଁ ସାଙ୍ଗ ଜଣେ ଫୋଟୋଟିଏ ପୋଷ୍ଟ କରିଥାଏ "ଧର୍ମଶାଳା ଅଞ୍ଚଳର ବରିଷ୍ଠ ହକର ବସନ୍ତ ବାରିକ ସମ୍ମାନିତ" ଲେଖା ସହ । ବସନ୍ତ ବାରିକ ତାଙ୍କ ନାଁ । ବାପା ବି କେତେଥର ତାଙ୍କୁ ବସନ୍ତ ବୋଲି ଡାକିଥିବାର ମୁଁ ଶୁଣିଛି । ହେଲେ ସେଇଟା ତାଙ୍କର ପରିଚୟ ନଥିଲା । ଆମପାଇଁ ତାଙ୍କ ପରିଚୟ ଥିଲା - ପେପର ବାଲା

ଆଖପାଖର ପ୍ରାୟ ପଚାଶ ଖଣ୍ଡ ଗାଁ'ରେ ତାଙ୍କର ସେହି ପରିଚୟ ଥିଲା.. ପେପର ବାଲା ଶନିବାର ସକାଳେ ସ୍କୁଲ ଗଲାବେଳେ ଆମେ ତାଙ୍କୁ ଦେଖୁ ସାଇକେଲ ଚଢି ଯିବାର ଧୋତି ସହ ଫିକା କୁର୍ତ୍ତା, କାନ୍ଧରେ ନାଲି ଗାମୁଛା ସାଇକେଲର ଦୁଇ ହ୍ୟାଣ୍ଡଲରେ ଦୁଇ ତିନୋଟି କପଡା ବ୍ୟାଗ ପତଳା ଶରୀର, ସାବନା ରଙ୍ଗର ଦେହ ଖରାତରାରେ ବୁଲିବୁଲି ଚୁଟି ସବୁ ହୋଇଯାଇଥାଏ ନୁଖୁରା


                                                  (Source: google image search)

ତାଙ୍କ ଘର ଆମ ଗାଁ ଠାରୁ ଆଠ ଦଶ ଖଣ୍ଡ ଗାଁ ପଛକୁ ଥାଏ ସକାଳୁ ସକାଳୁ ସାଇକେଲ ଚଢି ସେ ଯାଆନ୍ତି ଗାଁ ଠାରୁ ପ୍ରାୟ ଦଶ କିଲୋମିଟର ଦୂରରେ ଥିବା ଜାରକା ଛକକୁ କଟକରୁ ବାଲେଶ୍ଵର ପର୍ଯ୍ୟନ୍ତ ଲମ୍ବିଥିବା ଜାତୀୟ ରାଜପଥର କଡ଼ରେ ଗଢି ଉଠିଥାଏ ଏ ଛୋଟ ବଜାର ବା ଛକଟି ବାଜପେୟୀଙ୍କ ଚାରି ଲେନ ରାସ୍ତା ହେବା ପୂର୍ବରୁ ଏଠି ଥିଲା ରାସ୍ତାର ଦୁଇ ପାର୍ଶ୍ଵରେ ଦୁଇଟି ବର ଓ ଓସ୍ତ(ଅଶ୍ୱତଥ) ଗଛ ଓସ୍ତ ଗଛ ତଳେ ସିମେଣ୍ଟର ତିଆରି ଚାନ୍ଦିନୀ ଆଉ ତାକୁ ଲାଗିକି କିଛି ରିକ୍ସା ରାସ୍ତାର ଅପର ପାର୍ଶ୍ଵରେ ବରଗଛ, କିଛି ପାନ ଦୋକାନ ଓ ସିନେମା ହଲର ପୋଷ୍ଟର ଲଗାଥିବା ଦୁଇଟି ବଡ଼ ବାଉଁଶ ଖୁଣ୍ଟ ଏଇ ବାଉଁଶ ଖୁଣ୍ଟ କଡରେ ସକାଳୁ କଟକ ଆଡୁ ଆସୁଥିବା ବସ ଦେଇଯାଆନ୍ତି ଖବରକାଗଜ ସମାଜ, ପ୍ରଜାତନ୍ତ୍ର, ପ୍ରଗତିବାଦୀ, ମାତୃଭାଷା..  ଖବରକାଗଜ ସବୁକୁ ସେଇ ଫିଲ୍ମ ପୋଷ୍ଟରର ଖୁଣ୍ଟ ତଳେ ସଜାଡି ଅଲଗା ଅଲଗା ବ୍ୟାଗରେ ସେ ରଖନ୍ତି ଆଉ କିଛି ଖବରକାଗଜକୁ ଜରିରେ ଗୁଡେଇ ସାଇକେଲ ପଛରେ ବାନ୍ଧିଦେଇ ସେ ଚାଲନ୍ତି ଆରମ୍ଭ ହୁଏ ପେପର ବାଣ୍ଟିବା ଘର ପରେ ଘର, ଦୋକାନ ପରେ ଦୋକାନ, ଅଫିସ ପରେ ଅଫିସ, ଛକ ପରେ ଛକ, ଗାଁ ପରେ ଗାଁ ସାଇକେଲ ଗଡୁଥାଏ ଆଉ ଗଡୁଥାଏ ସମୟ

ପିଲାଦିନେ ଚାରିଟା ବେଳେ ସ୍କୁଲରୁ ଫେରି ପଖାଳ ଖାଇଦେଇ ଆମେ ଦଉଡି ଯାଉଥିଲୁ ଗାଁ ଦାଣ୍ଡକୁ ଗାଁ ସାଙ୍ଗ ମାନଙ୍କ ସହ ମାତି ଯାଉଥିଲୁ ଖେଳରେ କ୍ରିକେଟ, ଲୁଚକାଳି, ବାସ୍କେଟବଲ.. ଓ ଆହୁରି କେତେ ନାଁ ନଥିବା ଖେଳ ସବୁ ଅପରାହ୍ନର ଏଇ ସମୟଟା ଥିଲା ଆମର କେହିବି ଏ ସମୟଟା ଆମଠାରୁ ଛଡେଇ ନିଅନ୍ତିନି ହାଟ ସଉଦା ହେଉ କି ଘରର ଅନ୍ୟକିଛି ଛୋଟମୋଟ କାମ ଏଇ ସମୟରେ ଖେଳ ଛାଡି ଆମେ କୁଆଡେ ବି ଯାଉନଥିଲୁ ଠିକ ଏଇ ସମୟରେ ସେ ଆସନ୍ତି ନାଲି ମୋରମ ରାସ୍ତାରେ ସାଇକେଲ ଗଡେଇ ତାଙ୍କୁ ଦେଖିଦେଲେ ଆମେ ଦଉଡିଯାଉ "ହେଇ ପେପରବାଲା ଆସିଲା" କହି ସିଏ ବଢେଇ ଦିଅନ୍ତି ପ୍ରଜାତନ୍ତ୍ର ଖବରକାଗଜଟିଏ ଯଦିଓ ସେ ସମୟରେ ଖବରକାଗଜ ପଢିବାରେ ଆମର ଟିକେ ବି ରୁଚି ନଥିଲା କ୍ରମେ ଆମର ବି ଖବରକାଗଜ ସହ ସୃଷ୍ଟି ହେଲା ଏକ ଲମ୍ବା ସମ୍ପର୍କ ଆରମ୍ଭ ହେଲା ଏ ସମ୍ପର୍କ ପ୍ରଜାତନ୍ତ ସାପ୍ତାହିକୀର ମିନାବଜାର ପୃଷ୍ଠାରୁ ବିନ୍ଦୁ ଯୋଡ଼, ରଙ୍ଗ ଦିଅ, ଗଳ୍ପ, କବିତା ସହ ଆମର ବଢିଲା ଖବରକାଗଜ ସହ ଏକ ନିଆରା ସମ୍ପର୍କ ଶିଶୁ ବିଭାଗରୁ ଖେଳ ପୃଷ୍ଠା, ପରେ ଫିଲ୍ମ ବିଭାଗ, ମୁଖ୍ୟ ପୃଷ୍ଠା ଓ ଶେଷରେ ସମ୍ପାଦକୀୟ

ସମୟ ଗଡି ଚାଲିଲା ସନ୍ଧ୍ୟାରେ ଆସୁଥିବା ଖବରକାଗଜ ଆସି ପହଂଚିଲା ସକାଳେ କଳାଧଳାରୁ ଖବରକାଗଜ ହେଲା ରଙ୍ଗିନ ପୃଷ୍ଠା ସଂଖ୍ୟା ବଢିଲା ଅନେକ ନୁଆ ନୁଆ ଖବରକାଗଜ ସହ ଇଂରାଜୀ ଖବର କାଗଜ ବି ଆସି ପହଞ୍ଚିଲା ଗାଁ'ରେ ଖବରକାଗଜ ବାଣ୍ଟିବାରେ ବି ଆରମ୍ଭ ହେଲା ପ୍ରତିଯୋଗିତା ଯିଏ ଯେତେ ସକାଳୁ ଖବରକାଗଜ ଆଣି ଗାଁ'ରେ ବାଣ୍ଟି ପାରିଲା ସିଏ ହୋଇଗଲା ନୁଆ ପେପରବାଲା ଆମେ ବି କ୍ରମେ ଭୁଲିଗଲୁ ଆମର ସେ ପୁରୁଣା ପେପରବାଲାକୁ..

ସ୍କୁଲ ପରେ କଲେଜ, କଲେଜ ପରେ ଚାକିରୀ ଜୀବନ ଗାଁ'ରୁ ସହର, ସହରରୁ ବଦଳିଲା ରାଜ୍ୟ ଏବେ ସକାଳୁ କବାଟ ଖୋଲିଲେ ପେପରବାଲା ପକେଇ ଦେଇ ଯାଇଥିବ Times of India ର ହାଇଦ୍ରାବାଦ ସଂସ୍କରଣ ଓଡ଼ିଆ ଖବରକାଗଜ ପ୍ରଜାତନ୍ତ୍ର ଆଉ ନାହିଁ କମ୍ପ୍ୟୁଟରରେ ଅନଲାଇନରେ ପଢାହେଉଛି Sambad epaper.

ବ୍ୟସ୍ତ ଜୀବନ ଭିତରେ ଆଉ ମନେ ପଡୁନି ସେ ଗାଁ ରାସ୍ତା, ସାଇକେଲରେ ଆସୁଥିବା ଧୋତି ପିନ୍ଧା ଲୋକଟି ଖବରକାଗଜ ସହ ଆମକୁ ଯୋଡିଦେଇଥିବା ଆମର ସେ ପେପର ବାଲା..



5 comments:

  1. Nice one ......Reminded my village life..

    ReplyDelete
  2. ବହୁତ ସୁନ୍ଦର ଆଉ ଖୁବ ହୃଦୟ ପ୍ରଷି.

    ReplyDelete
  3. ସତରେ ଆଗରୁ ପେପରବାଲାର ମାସିକିଆ ମିନାବଜାର ଆସିବାକୁ ମୁଁ ଜଗିକି ରହୁଥିଲି ।
    ଆଉ ନାହାନ୍ତି ସେମିତିକା ପେପରବାଲା । ଏବେ ଆସୁଛନ୍ତି ମୋଟରସାଇକେଲରେ । ବାହାରକୁ ଆସିଲା ପରେ ପେପରବାଲାଏ ଆଉ ଆଣିକି ଦେଉନାହାନ୍ତି, ନିଜକୁ ଆଣିବାକୁ ପଡ଼ୁଛି ଯାଇକି ।
    ମୁଁ ଯେବେ ଛୋଟ ଥିଲି, ଟିଉସନରୁ ଫେରିଲାବେଳେ ପେପରବାଲାଠୁ ନେଇକି ଆସୁଥିଲି ପେପର ।

    ReplyDelete